କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍‌ ଥିବା ରିପୋର୍ଟ ଦିଆଯାଇଛି !

1 min read

ଭୁବନେଶ୍ୱର: କେମିତି ହେଲା ବ୍ଲାଷ୍ଟ ? କେଉଁଠି ରହିଥିଲା ତ୍ରୁଟି ? ମାତ୍ର ଗୋଟିଏ ଦିନ ପୂର୍ବରୁ ସବୁ ଠିକ୍‌ ଥିବା ରିପୋର୍ଟ ଦିଆଯାଇଛି । ତେବେ ଏହି ବିସ୍ଫୋରଣ ପଛର କାରଣ କ’ଣ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ବାଲେଶ୍ୱରରୁ ଏକ ଟେକ୍ନିକାଲ୍‌ ଟିମ୍ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଛି । ଖୁବ୍‌ ଶୀଘ୍ର ଏହି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବ । ପରେ ସ୍ପଷ୍ଟ ହେବ ଯେ, କିଭଳି ହୋଇଥିଲା ବିସ୍ଫୋରଣ ।

ତେବେ ଏଲ୍‌ପିଜି ଟ୍ୟାଙ୍କରେ ଲିକ୍‌ ହୋଇ ଏହି ବିସ୍ଫୋରଣ ଘଟିଥିବା ଆଶଙ୍କା କରିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ବିସ୍ଫୋରଣ ସ୍ଥଳରେ ଭୁବନେଶ୍ୱରର ସିପି, ଡିସିପି, ଆଇପିଏସ୍‌ ସତ୍ୟଜିତ ମହାନ୍ତି ସ୍ଥାନୀୟ ଥାନାଧିକାରୀ ଉପସ୍ଥିତ ଅଛନ୍ତି ।

ସୂଚନାଅନୁଯାୟୀ, ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଗଭର୍ଣ୍ଣର ହାଉସ ନିକଟରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ପେଟ୍ରୋଲ ପମ୍ପରେ  ଘଟିଥିଲା ବିସ୍ଫୋରଣ । ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଜଣେ ଗୁରୁତରଙ୍କ ହାତ ଛିଣ୍ଡି ତଳେ ପଡ଼ିଥିବା ଦେଖାଯାଇଛି । ଦୁଇ ଜଣ ଗୁରୁତରଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣ ମାତ୍ରା ଏତେ ଥିଲା ଯେ, ଆଖ ପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରଥମେ ଗ୍ୟାସ୍‌ ଟ୍ୟାଙ୍କର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା, ପରେ ଏହା ବଡ଼ ବିସ୍ଫୋରଣର ରୂପ ନେଇଥିଲା । ପେଟ୍ରୋଲ ପମ୍ପ ଆଖପାଖ ଅଞ୍ଚଳରେ ଥିବା ଘର ଓ ଗାଡ଼ି ଗୁଡ଼ିକର କାଚ ଭାଙ୍ଗିଯାଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଗୋପବନ୍ଧୁ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି । ଏହାସହ ଏଜି ଛକ ଓ ପାଓ୍ୱାର ହାଉସ୍‌ ଛକରେ ଯାତାୟତକୁ ବନ୍ଦ କରି ଦିଆଯାଇଛି ଲୋକଙ୍କୁ ଅଯଥା ଗହଳି ନକରିବା ପାଇଁ ଚେତାବନୀ ଦିଆଯାଉଛି । ପୁଣିଥରେ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ପୋଲିସ କହିଛି ।

ମୁଖ୍ୟମନ୍ତ୍ରୀ ସମସ୍ତ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣାକ କରିଛନ୍ତି ।

Leave a Reply