ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ଥାନାରେ ହାଜର ହେଲେ ଓଟିଭି ଇନ୍‌ପୁଟ୍‌ ହେଡ୍‌

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ । ମହିଳା ଥାନାରେ ହାଜର ହେଲେ ଓଟିଭି ଇନପୁଟ୍‌ ମୁଖ୍ୟ । ତାଙ୍କୁ ହାଜର ହେବା ପାଇଁ ମହିଳା ଥାନା ନୋଟିସ୍ ଜାରି କରିଥିଲା । ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଇନପୁଟ୍‌ ମୁଖ୍ୟଙ୍କୁ ଜେରା କରାଯାଉଛି । ଅଡିଓ କ୍ଲିପ୍ ପ୍ରସାରଣ ନେଇ ପଚରାଉଚରା କରାଯାଇପାରେ ବୋଲି ପୋଲିସ ମଧ୍ୟ ସୂଚନା ମିଳିଛି ।

ଅନ୍ୟପଟେ ଏହି ନାବାଳିକା ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କରିଛି କଟକର ଲିଗାଲ ସେଲ ସଂଗଠନ ଆଶ୍ଵସ୍ତି ଫାଉଣ୍ଡେସନ । ପ୍ରଥମେ ଇନ୍‌ଫୋସିଟି ଥାନା ଆଉ ପରେ ମହିଳା ଥାନାରେ ପହଁଚିଥିଲେ ଫାଉଣ୍ଡେସନର ପାଞ୍ଚ ଜଣିଆ ଟିମ୍‌ । ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଉଭୟ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଛି ସଂଗଠନ । ଘଟଣା ବାବଦରେ ସମସ୍ତ ତଥ୍ୟ ମିଳିଲା ପରେ ନାବାଳିକା ଓ ତାଙ୍କ ମା’ଙ୍କୁ ସମସ୍ତ ଆଇନଗତ ସହଯୋଗ ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ତେବେ ଘଟଣାକୁ ୧୫ ଦିନ ବିତିଲାଣି କିନ୍ତୁ ଏବେ ବି ପୋଲିସ ହାତ ଖାଲି । ପୀଡ଼ିତା ଜଣକ ଜଣ ଜଣ କରି ସମସ୍ତ ଅଭିଯୁୁକ୍ତଙ୍କ ନାଁ ସ୍ପଷ୍ଟ ଭାବେ କହିଥିଲେ ମଧ୍ୟ ପୋଲିସ ଏଯାଏଁ କାହାରିକୁ ଗିରଫ କରିପାରି ନାହିଁ । ତେଣୁ ପୋଲିସର ଭୂମିକାକୁ ନେଇ ସନ୍ଦେହ କରାଯାଉଛି । ପୋଲିସ କାହା ଚାପରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଓଟିଭି ନିର୍ଦ୍ଦେଶିକାଙ୍କୁ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ଏଯାଏଁ ତା’ର କୌଣସି ଉତ୍ତର ମିଳିନାହିଁ । ଶିଶୁ ସୁରକ୍ଷା ଆୟୋଗ ଦେଇଥିବା ଡେଡଲାଇନ୍‌ ଶେଷ ହୋଇଥିଲେ ମଧ୍ୟ ଓଟିଭିର ନିର୍ଦ୍ଦେଶିକା ଜବାବ ରଖି ନଥିବା ବେଳେ କମିଶନରେଟ୍ ପୋଲିସ୍ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ସମୟ ଲାଗିବ ବୋଲି କହୁଛି । ପ୍ରଶ୍ନ ଉଠୁଛି, ନାବାଳିକାଙ୍କ ବୟାନ ରେକର୍ଡ ପରେ ମଧ୍ୟ କାହିଁକି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ୍ ପଛଘୁଞ୍ଚା ଦେଉଛି । ସମୟ ଗଡ଼ାଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଚାଲିଥିବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି ।

Leave a Reply