ସେଲ୍ଫି ପାଇଁ ଚୁଲିକୁ ଗଲା ସାମାଜିକ ଦୂରତା

ଭୁବନେଶ୍ୱର: କରୋନା ଯୁଦ୍ଧ । ସମସ୍ତେ ସୈନିକ, ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଟିକିଏ ଭୁଲ୍ ହେଲେ ଗୋଷ୍ଠୀ ସଂକ୍ରମଣ । ଦିନ ବଢିବା ସହ ଅଧିକ ସତର୍କ ହେବାକୁ ପରାମର୍ଶ ଦିଆଯାଉଛି । ଶୀର୍ଷ ରାଜନେତା ଏବଂ ପ୍ରଶାସନ ନିୟମିତ ବ୍ୟବଧାନରେ ଏ ନେଇ ସାଧାରଣ ଜନତାଙ୍କୁ ସଚେତନ କରୁଛନ୍ତି । ହେଲେ ବାଡ଼ ଫସଲ ଖାଇବା ନ୍ୟାୟରେ ଯଦି ଜନ ପ୍ରତିନିଧି ସାମାଜିକ ଦୂରତା ନିୟମକୁ ଫୁ କରିବେ, ତେବେ କାହାକୁ କହିବା ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ବର୍ଷେ ହେବ ସାଧାରଣ ନିର୍ବାଚନ ସରିଯାଇଛି । ଆଗକୁ ସେମିତି ରାଜନୈତିକ ପ୍ରତିଯୋଗିତା ନାହିଁ । ହେଲେ ସବୁ ସମୟରେ ରାଜନୀତିମନସ୍କ ନେତାଙ୍କୁ କିଏ ବୁଝେଇବ । ସାମାଜିକ ଦୂରତା ନିୟମକୁ ଆଖିବୁଜି ଦେଲେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀ ସଭାପତିରୁ ମନୋଜ ତିୱାରୀ ବିଦା ହେବା ପରେ ଯେତିକି ଚର୍ଚ୍ଚା ହୋଇ ନ ଥିଲା, ଭୁବନେଶ୍ୱର ବିଜେପି ଗୋଷ୍ଠୀ କନ୍ଦଳ ସେତିକି ଚର୍ଚ୍ଚାର କାରଣ ପାଲଟିଗଲା । ୧୨ ଘଣ୍ଟାର ଡ୍ରାମା ପରେ ଦଳ ଛାଡିଥିବା ଜଗନ୍ନାଥ ପ୍ରଧାନ ପଦ୍ମ ପୋଖରୀକୁ ଫେରି ଆସିଲେ । ଆଉ ସେ ଫେରି ଆସିବା ପରେ କରୋନାକୁ ଯେମିତି ସାଂସଦ ମହାଶୟା ଏବଂ ତାଙ୍କ ସହଯୋଗୀ ସମ୍ପୂର୍ଣ୍ଣ ପାସୋରି ଦେଲେ ।  ଫଟୋ ଉଠାଇ ସେଲଫି ଛାଡିବା, ଫେସବୁକ୍ ରେ ପୋଷ୍ଟ କରି ଦଳ ଏକାଠି ଅଛି ବୋଲି ଦେଖାଇବାକୁ ଉଚିତ୍ ମଣିଲେ । ତେଣୁ ସାମାଜିକ ଦୂରତା ଛାଡ, ସାମାନ୍ୟ ଦୂରତା ରଖିବାକୁ ଉଚିତ ମନେ କଲେ ନାହିଁ । ସାଂସଦ ଅପରାଜିତା  ଷଡଙ୍ଗୀ ଏବଂ ବିଜେପିର ଅନ୍ୟ କେତେକ ନେତାଙ୍କ ବୁଧବାର ଭାଇରାଲ ହୋଇଥିବା ଏହି ଫଟୋ ଚର୍ଚ୍ଚାର କାରଣ ହୋଇଛି ।

ଏହି ଫଟୋକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ରଖିଥିବା ଜଣେ ନେତ୍ରୀ କିପରି ଏହି ବିଶ୍ୱ ମହାମାରୀ ସମୟରେ ଏ ସବୁ ଭୁଲି ଗଲେ । ଏହା ଦ୍ୱାରା ସେ ପ୍ରତିନିଧି କରୁଥିବା ଜନସାଧାରଣଙ୍କର ଅପକାର ହିଁ କରୁଛନ୍ତି, ଏ କଥା କ’ଣ ତାଙ୍କୁ ବୁଝାଇବାକୁ ପଡ଼ିବ । ସେ ନିଜେ ବିଭିନ୍ନ ପ୍ରଶାସନିକ ଦାୟିତ୍ୱରେ ଥିବା ବେଳେ ନିଜ ଅଧସ୍ତନଙ୍କ ଉପରେ ଯେପରି କଠୋର ହେଉଥିଲେ, ତାଙ୍କର ଏହି ଭୁଲ୍ ପାଇଁ ପ୍ରଶାସନ କଠୋର ହେଲେ ମହାଶୟା ଗ୍ରହଣ କରିପାରିବେ ତ ବୋଲି ଅନେକେ ପ୍ରଶ୍ନ କରିଛନ୍ତି ?

ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…

Leave a Reply