ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ବାହାରିବାର କାରଣ କହିଲେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ

Petrol Pump

ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ଦିଆଯିବା ଘଟଣା । ପେଟ୍ରୋଲ ପମ୍ପରେ ଫରେନସିକ ଟିମ ପହଞ୍ଚି ପମ୍ପକୁ ସିଲ୍ କଲା । ଘଟଣାର ତଦନ୍ତ ଜାରି ରହିଛି । ଖୁବ୍‌ଶୀଘ୍ର ଏହାର ସମାଧାନ ହେବ । ଏଥିପାଇଁ ଯିଏ ଦାୟୀ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୁଧବାର ସନ୍ଧ୍ୟାରେ ଏହି ପେଟ୍ରୋଲ୍‌ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ଦିଆଯାଇଥିବା ନେଇ ଅଭିଯୋଗ ଆସିଥିଲା । ଲୋକମାନେ ଗାଡ଼ିରେ ପେଟ୍ରୋଲ ପକାଇ ଯିବା ପରେ ଗାଡ଼ି ଖରାପ ହୋଇଥିଲା । ଏମିତିକି ଅନେକଙ୍କ ଗାଡ଼ି ରାସ୍ତାରେ ଅଟକି ଯାଇଥିଲା । ପରେ ଅପମିଶ୍ରିତ ପେଟ୍ରୋଲ ନେଇ ଉତ୍ତେଜନା ଦେଖାଯାଇଥିଲା ।  ଅପମିଶ୍ରଣ ତେଲ ଯୋଗୁଁ ଗ୍ରାହକ ହୋହଲ୍ଲା କରିଥିଲେ  । ଅପମିଶ୍ରିତ ତେଲ ଯୋଗୁଁ ବାଇକ ଖରାପ ହୋଇଥିବା ଅଭିଯୋଗରେ ଗ୍ରାହକ ଖପ୍ପା ହୋଇଥିଲେ । ତେଲରେ ପାଣି କିମ୍ବା ଜେଲ୍‌ ଭଳି କିଛି ସାମଗ୍ରୀ ମିଶାଇଥିବା ଅଭିଯୋଗ ହୋଇଛି ।  ଅଭିଯୋଗ ପରେ ଭରତପୁର ଥାନା ଦ୍ୱାରା ମ୍ୟାନେଜରଙ୍କୁ ଅଟକ ରଖାଯାଇଛି ।

ତେବେ ଫରେନ୍ସିକ୍‌ ଟିମ୍‌ ଆସି ପେଟ୍ରୋଲ ସାମ୍ପୁଲ୍‌ ସଂଗ୍ରହ କରିଛନ୍ତି । ବିଭିନ୍ନ ନୋଜେଲରୁ ସାମ୍ପୂଲ ସଂଗ୍ରହ କରାଯାଇଛି । ତେବେ ରିପୋର୍ଟ ଆସିବା ବେଳକୁ ଦୁଇ ଦିନ ସମୟ ଲାଗିପାରେ । ତେବେ ପେଟ୍ରୋଲ ପମ୍ପ ପକ୍ଷରୁ ପେଟ୍ରୋଲରେ କୌଣସି ପ୍ରକାର ଅପମିଶ୍ରଣ କରାଯାଇନଥିବା କୁହାଯାଇଛି । ପୁରା ପେଟ୍ରୋଲ ପମ୍ପ ଅଟୋମେଟିକ୍‌ ସିଷ୍ଟମ୍‌ ଦ୍ୱାରା ପରିଚାଳିତ । ତେଣୁ ଏଭଳି କୌଣସି ଅପମିଶ୍ରଣ ହୋଇନାହିଁ । ଏଭଳି ଯୁକ୍ତି ବାଢ଼ିଛନ୍ତି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ।

ତେବେ ସେ ଆହୁରି କହିଛନ୍ତି ଯେ, ପେଟ୍ରୋଲରେ ଏକ ପଦାର୍ଥ ମିଶେ ଯାହାକୁ ଇଥାନଲ ବୋଲି କୁହାଯାଏ । ଏହି ଇଥାନଲ ଏମିତି ଏକ ପଦାର୍ଥ ଯାହା ପାଣିରେ ମିଶିଲେ ପାଣି ହୋଇଯାଏ । ତେଣୁ ଯଦି କେହି ବ୍ୟକ୍ତି ସକାଳୁ ନିଜ ବାଇକ୍‌ ଧୋଇଥିବେ ଫଳରେ ଟାଙ୍କିରେ ପାଣି ରହିଥିବ । ପରେ ସେ ଆସି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇଥିବେ । ତେବେ ଟାଙ୍କିରେ ଥିବା ପାଣି ଏବଂ ଇଥାନଲ ଉଭୟ ମିଶିବା ଦ୍ୱାରା ଟାଙ୍କିରେ ପାଣିର ମାତ୍ରା ବଢ଼ିଯାଇଥିବ । ଯାହା ଫଳରେ ଏଭଳି ସମସ୍ୟା ଦେଖାଯାଇଛି ବୋଲି ସେ ଅନୁମାନ କରିଛନ୍ତି ।

ପେଟ୍ରୋଲ ପମ୍ପରୁ ବାହାରିଥିବା ଅପମିଶ୍ରିତ ପେଟ୍ରୋଲ ପାଇଁ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି । ‘ବୁଧବାର ସନ୍ଧ୍ୟାରେ ଯେଉଁ ତ୍ରୁଟି ଦେଖାଯାଇଥିଲା ତାହା ଆଉ କେବେ ଦେଖାଯିବ ନାହିଁ । ଯାହା ଯାତ୍ରିକ ତ୍ରୁଟି ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଆଗକୁ ଏଥିପ୍ରତି ଆମେ ସାବଧାନ ରହିବୁ । ଏହା ଏକ ରେପୁଟେଡ୍‌ ସଂସ୍ଥା, ଏଥିରେ ଅପମିଶ୍ରଣର ପ୍ରଶ୍ନ ଉଠୁ ନାହିଁ । ଲୋକମାନେ ବିନା ଦ୍ୱିଧାରେ ନିଜ ଗାଡ଼ିରେ ଏଠାରେ ପେଟ୍ରୋଲ ପକାଇପାରିବେ ।’

Leave a Reply