ଭାରତ ବନ୍ଦରେ ଓଡ଼ିଶାରେ କେଉଁ କେଉଁ ସ୍ଥାନରେ କେମିତି ପଡ଼ିଛି ପ୍ରଭାବ ?

ଭୁବନେଶ୍ୱର: ଭାରତ ବନ୍ଦରେ ଓଡ଼ିଶାରେ ମଧ୍ୟ ପଡ଼ିଛି ପ୍ରଭାବ । ନବନିର୍ମାଣ କୃଷକ ସଙ୍ଗଠନ ସହ ତମାମ ବିରୋଧି ବନ୍ଦକୁ ସମର୍ଥନ କରୁଛନ୍ତି । ଚାଷୀମାନେ ଦେଶର ମେରୁଦଣ୍ଡ ହୋଇଥିବାବେଳେ ନୂଆ ଆଇନ ଆଣି ମୋଦି ସରକାର ସେମାନଙ୍କୁ ଦୁର୍ବଳ କରିବା ପାଇଁ ପ୍ରୟାସ ଚଳାଇଥିବା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ଭାରତ ବନ୍ଦ ଡାକରାକୁ ନଜରରେ ରଖି ଆଜି ରାଜ୍ୟର ସମସ୍ତ ସରକାରୀ ଅଫିସ୍ ବନ୍ଦ ରଖାଯାଇଛି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ତେବେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ଜାରି ରହିବ । ସେହି ବନ୍ଦରେ ଓଡ଼ିଶାରେ କେମିତି ପଡ଼ିଛି ପ୍ରଭାବ ଜାଣନ୍ତୁ

ଭଦ୍ରକରେ ଭାରତ ବନ୍ଦର ପ୍ରଭାବ

୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ, ଚରମ୍ପା, ଧାମନଗର ଛକ ଓ ଭଣ୍ଡାରୀପୋଖରୀ ଠାରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି ।  କୃଷକ ସଙ୍ଗଠନ ଙ୍କ ପକ୍ଷରୁ ଦିଆଯାଇଥିବା  ବନ୍ଦ ଡାକରା କ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି ।

କଟକରେ ବନ୍ଦର ପ୍ରଭାବ

ନୂତନ କୃଷି ବିଲକୁ ପ୍ରତ୍ୟାହାର ଦାବିରେ କଟକରେ ମଧ୍ୟ ବନ୍ଦର ପାଳନ କରାଯାଇଛି । କଟକର ହାଇକୋର୍ଟ ଛକ, ଲିଙ୍କ ରୋଡ, ମଧୁପାଟଣା, ରେଲୱେ ଷ୍ଟେସନ, ବାଦମବାଡ଼ି ଆଦିରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଯାତାୟତ ସମ୍ପୂର୍ଣ୍ଣ  ଭାବରେ ବନ୍ଦ ରହିଛି । ସହରରେ ଦୋକାନ ବଜାର ସହ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ସେହିପରି କିଭଳି ଅପ୍ରିତୀକର ପରିସ୍ଥିତି ନ ଉପୁଜେ ସେନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବରଗଡରେ ବନ୍ଦର ପ୍ରଭାବ

ଭାରତ ବନ୍ଦର ପ୍ରଭାବ ବରଗଡରେ ମଧ୍ୟ ଦେଖିବାକୁ ମିଳିଛି । ନୂତନ କୃଷି ବିଲକୁ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନରେ ବରଗଡର ଚାଷୀ ସଂଗଠନ ତରଫରୁ ଦିଆଯାଇଥିବା ଡାକରାରେ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ , ଆମ ଆଦମୀ ପାର୍ଟି ଙ୍କ ସମେତ ବିଭିନ୍ନ ସଂଗଠନ ବନ୍ଦ ଡାକରରେ ସାମିଲ ହୋଇଛନ୍ତି । ବରଗଡ ଜିଲ୍ଲାର ୧୨ଗୋଟି ବ୍ଲକରେ ସକାଳ ୬ ଟାରୁ  ବନ୍ଦର ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ  ଦୋକାନ ବଜାର , ସରକାରୀ ବେସରକାରୀ କାର୍ଯ୍ୟ।ଳୟ ବନ୍ଦ କରାଯାଇଛି ।

ଜଗତସିଂହପୁରରେ ବନ୍ଦର ପ୍ରଭାବ

ଜଗତସିଂହପୁରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଲିଛି । ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ସବୁଛକରେ ପିକେଟିଂ କରାଯାଉଛି । ସାଧାରଣ ଲୋକ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇ ଘରେ ରହିଥିବା ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁରରେ ବନ୍ଦର ପ୍ରଭାବ

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପାଳନକୁ ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ସମର୍ଥନ କରାଯାଇଛି  । ସକାଳୁ ସକାଳୁ କୃଷକ ସଂଗଠନର କାର୍ଯ୍ୟକର୍ତ୍ତା  ଓ କଂଗ୍ରେସ କର୍ମୀମାନେ ସହରର ମୁଖ୍ୟ ଛକ ଗୁ଼ଡିକରେ ରାସ୍ତା ଉପରେ ବାଇକ ରଖି ରାସ୍ତା ଅବରୋଧ କରିଛନ୍ତି  । ଆନ୍ଦୋଳନକାରୀମାନେ ସୋନପୁର, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ ଆଦି ରାସ୍ତାକୁ ସଂମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି  । ଫଳରେ ରାସ୍ତା ଉପରେ ଶହ ଶହ ଗାଡି ଅଟକି ରହିଛି ।

ବଲାଙ୍ଗୀରରେ ବନ୍ଦର ପ୍ରଭାବ

ଏହି ଭାରତ ବନ୍ଦର ପ୍ରଭାବ ଆଜି ଭୋର ସକାଳୁ ବଲାଙ୍ଗୀରରେ ଦେଖିବାକୁ ମିଳିଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହରର ଦୈନିକ ବଜାରରେ ସମେତ ସହରରେ ଦୋକାନ ବଜାର ବନ୍ଦ କରି ଦିଆଯାଇଛି । ଏହାସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ନବରଙ୍ଗପୁରରେ ବନ୍ଦର ପ୍ରଭାବ

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦକୁ ସମର୍ଥନ ଜଣାଇଛାନ୍ତି । ନବରଙ୍ଗପୁର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ମୀରଗାନଗୁଡ଼ା ଛକ ଏବଂ ମାଝୀଗୁଡା ଛକ ଠାରେ ଆନ୍ଦୋଳନ କାରୀ ମାନେ ରାସ୍ତା ଅବରୋଧ କରିଛନ୍ତି । ଜାତୀୟ ରାସ୍ତା ଅବରୋଧ କରିବା ଫଳରେ ଗମନାଗମନ ଠପ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ୱ ରେ ଗାଡି ଗୁଡିକ ଅଟକି ରହିଛି ।

ସମ୍ୱଲପୁରରେ ବନ୍ଦର ପ୍ରଭାବ

ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡିମଟର ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି । ସହରବାସୀ ସତପ୍ରବୃତ ଭାବରେ ଏହାକୁ ସମର୍ଥନ କରୁଥିବାର ଦେଖିବାକୁ ମିଳୁଛି । ସହରର ଗୋଲବଜାର ଅଇଠାପାଲି ଧନୁପାଲି ବୁଢାରଜାରେ ଦୋକାନ ବଜାର ପୁରା ବନ୍ଦ ରହିଛି । ସକାଳ ୧୦ ଟା ପରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

ବାଲିଗୁଡ଼ାରେ ବନ୍ଦର ପ୍ରଭାବ

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା  ଦିଆଯାଇଥିବା ବେଳେ କଂଗ୍ରେସ ଏହାକୁ ସମର୍ଥନ ଜଣାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଛୋଟମୋଟ ଦୋକାନ ବର୍ତ୍ତମାନ ସମୟରେ ଖୋଲାଥିବା ଦେଖିବାକୁ ମିଳିଛି ।

Leave a Reply