Covaxin ଲଞ୍ଚ ନେଇ ଭାରତ ବାୟୋଟେକ୍ ପକ୍ଷରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ଭାରତ ବାୟୋଟେକ୍ ଟିକା ନେଇ ଏକ ବଡ଼ ଘୋଷଣା କରିଛି । ଭାରତ ବାୟୋଟେକ୍ ଅନୁସାରେ, ୨୦୨୧ ମସିହା ଜୁନ୍ ମାସ ସୁଦ୍ଧା କୋଭାକ୍ସିନ୍ ର ରେଗୁଲେଟୋରୀ ଅନୁମତି ପାଇଁ ଆବେଦନ କରିବ। କମ୍ପାନୀର କହିବାନୁସାରେ, ଦେଶରେ କରୋନା ଟୀକା ନେଇ ଯେଉଁ ପରୀକ୍ଷଣ କରାଯାଉଛି, ଏହାର ଡାଟା ପାଇଁ ପାଖାପାଖି ୬ ମାସ ଲାଗିବ । ଭାରତ ବାୟୋଟେକ୍ ନିର୍ଦ୍ଦେଶକ ସାଇ ପ୍ରସାଦ କହିଛନ୍ତି ଯେ, କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଶେଷ ହୋଇଛି । ଏବଂ ୨୬ ହଜାରରୁ ଅଧିକ ଲୋକଙ୍କଠାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ ।

ସାଇ ପ୍ରସାଦ କହିଛନ୍ତି ଯେ, କରୋନା ଭାଇରସ ଟିକା ପାଇଁ କମ୍ପାନୀ ୪୦୦ କୋଟି ଟଙ୍କା ବିନିଯୋଗ କରିଛି । ସବୁଠୁ ଅଧିକ ଖର୍ଚ୍ଚ ଟିକା ପରୀକ୍ଷଣରେ ହୋଇଛି । ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ପାଖରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ସେ ସବୁବେଳେ ସବୁ ପରୀକ୍ଷା ଉପରେ ନଜର ରଖିଛନ୍ତି । ଏଭଳି ପରିସ୍ଥିତିରେ ସେ ଯେକୌଣସି ମୂହୁର୍ତ୍ତରେ ଅନୁମୋଦନ ଦେଇପାରିବେ । ସେ କହିଛନ୍ତି ଯେ, ଆବଶ୍ୟକ ହେଲେ କିଛି ଇଣ୍ଡଷ୍ଟ୍ରି ସିଧାସଳଖ ମଧ୍ୟ ଟିକା କିଣି ପାରିବେ । ତେଣୁ ଏଭଳି ପ୍ରସଙ୍ଗରେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ହେବ ।

ପ୍ରସାଦଙ୍କ କହିବାନୁସାରେ ଭାରତର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ବହୁ ସଂଖ୍ୟକ ଟ୍ରାଏଲ ଆବଶ୍ୟକ। ଟିକା ସୁରକ୍ଷା ଆମ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, କମ୍ପାନୀ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପାଇଁ ଅପେକ୍ଷା କରିଛି । ତେବେ ଆସନ୍ତା ବର୍ଷ ସୁଦ୍ଧା ଚୂଡ଼ାନ୍ତ ଲାଇସେନ୍ସ ଆସିପାରେ । ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ କରୋନା ସଂକ୍ରମଣ ପାଇଁ ଏକ ‘କୋଭିଶିଲ୍ଡ’ ଟିକା ପ୍ରସ୍ତୁତ କରୁଛି। ସେରମ୍ ପ୍ରତିଷ୍ଠାନ ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଚୟନ ଆରମ୍ଭ କରିସାରିଛି।

Leave a Reply