କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ବନ୍ଦ ଡାକରା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ବନ୍ଦ ଡାକରା । ବନ୍ଦକୁ ସଫଳ କରିବା ପାଇଁ ଦିଲ୍ଲୀରେ ଏକଜୁଟ ହୋଇଛନ୍ତି ବିଭିନ୍ନ ରାଜ୍ୟର ଚାଷୀ ସଂଗଠନ। ହଜାର ହଜାର ଚାଷୀଙ୍କ ବିକ୍ଷୋଭରେ କମ୍ପିବ ରାଜଧାନୀ ଦିଲ୍ଲୀ । ପରିସ୍ଥିତିକୁ ନଜରରେ ରଖି ଦିଲ୍ଲୀ ପୋଲିସ ସଜାଗ ରହିବା ସହ ଅନେକ ସ୍ଥାନରେ ୧୪୪ ଧାରା ଜାରି କରିଛି  । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ପାଇଁ ଚାଷୀଙ୍କୁ ଅପିଲ କରିଛି ପୋଲିସ।

ସେପଟେ ତମାମ ବିରୋଧି ଦଳ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବା ସହ ନିଜର ନେତା ଓ କର୍ମୀଙ୍କୁ ବନ୍ଦରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ ସହ ଆମ ଆଦମି ପାର୍ଟି, ଟିଆରଏସ, ସମାଜବାଦି ପାର୍ଟି, ବହୁଜନ ସମାଜବାଦି ପାର୍ଟି, ଡିଏମକେ ଓ ବାମଦଳ ସହ ଅନ୍ୟ ଦଳମାନେ ଚାଷୀଙ୍କ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି  ।

କେନ୍ଦ୍ର ସରକାର ଚାଷୀଙ୍କ ଦାବିକୁ ମାନିବା ସହ ନୂଆ ଆଇନ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ବିରୋଧି। ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରୁନି । ଆସନ୍ତାକାଲି ପରବର୍ତ୍ତୀ ବୈଠକ ରହିଛି ।

Leave a Reply