ଭାରତ ବନ୍ଦ, ଜାଣନ୍ତୁ ଓଡ଼ିଶାରେ କଣ ରହିଛି ପ୍ରଭାବ ?

ଭୁବନେଶ୍ୱର: ଓଡିଶାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ନବନିର୍ମାଣ କୃଷକ ସଙ୍ଗଠନ ସହ ତମାମ ବିରୋଧି ବନ୍ଦକୁ ସମର୍ଥନ କରୁଛନ୍ତି । କଂଗ୍ରେସ ସହ ବାମଦଳ ଓ ଅନ୍ୟ ଦଳ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ଚାଷୀମାନେ ଦେଶର ମେରୁଦଣ୍ଡ ହୋଇଥିବାବେଳେ ନୂଆ ଆଇନ ଆଣି ମୋଦି ସରକାର ସେମାନଙ୍କୁ ଦୁର୍ବଳ କରିବା ପାଇଁ ପ୍ରୟାସ ଚଳାଇଥିବା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

   ସେପଟେ ଭାରତ ବନ୍ଦ ଡାକରାକୁ ନଜରରେ ରଖି ଆଜି ରାଜ୍ୟର ସମସ୍ତ ସରକାରୀ ଅଫିସକୁ ମଧ୍ୟ ବନ୍ଦ ରଖାଯାଇଛି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ତେବେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ଜାରି ରହିବ ।

ଏହାସହ ଆମ୍ବୁଲାନ୍ସ ସେବା ଖୋଲା ରହିବା ସହ ପନି, ପରିବା କ୍ଷୀର ଆଦି ଦୋକାନ ବନ୍ଦ ରହିବ । ସେହିପରି ଟ୍ୱିନ ସିଟି ଓ ପୁରୀରେ ଗଡ଼ିବନି ମୋ ବସ୍ । ସେହିପରି ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ ।

ଗୁଣୁପୁରରେ ଭାରତ ବନ୍ଦର ପ୍ରଭାବ ଦେଖାଦେଇଛି। ସକାଳୁ ଗୁଣୁପୁର ଏସ୍‌ପିଗୁଡା ଛକ ନିକଟରେ ସିପିଆଇଏମ୍ଏଲ୍ ପକ୍ଷରୁ ଟାୟାର୍ ଜାଳି ପ୍ରତିବାଦ ପ୍ରଦର୍ଶନ କରାଯାଇଛି । କୃଷି ଆଇନ୍ ପ୍ରତ୍ୟାହାର ଦାବି ନେଇ ଗୁଣୁପୁରରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି। ଗୁଣୁପୁର ସହରର ବିଭିନ୍ନ ଛକରେ ସିପିଆଇଏମ୍ଏଲ୍ କର୍ମୀ କେନ୍ଦ୍ର ସରକାର ବିରୋଧି ସ୍ଲୋଗାନ ଦେଇ ପିକେଟିଂ କରୁଛନ୍ତି ।

ସେହିପରି ରାଉଲକେଲା ସହରରେ ପଢିଛି ପ୍ରଭାବ । ସହରରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।  ବରଗଡ଼ରେ ରାସ୍ତାରେ ନିଆଁ ଲଗାଇ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । କଳାହାଣ୍ଡି ଭବାନି ପାଟଣାରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ଘରୋଇ ବସ୍ ଷ୍ଟାଣ୍ଡ ପରିସରରେ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ସଂଗଠନ । ଏହାସହ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ପାଖରେ ମଧ୍ୟ ବନ୍ଦ ପାଳନ କରାଯାଉଛି ।

Leave a Reply