ଆତ୍ମ ଘୋଷିତ ମାତାଙ୍କ କଥାରେ, ମା’ଙ୍କ ପୂଜା ପାଇଁ ମାନିଲେନି କୋଭିଡ୍‌ କଟକଣା

କୋରାପୁଟ: କୋଭିଡ୍‌ କଟକଣାକୁ ଫୁ । ମା’ଙ୍କ ପୂଜା ପାଇଁ ଲୋକ ମାନିଲେନି ସାମାଜିକ ଦୂରତା ନିୟମ । ମାତାଙ୍କ ହୁକୁମ ନେବା ପାଇଁ ଘଣ୍ଟାଘଣ୍ଟା ଧରି ଭକ୍ତଙ୍କ ଗହଳି ଲାଗିରହୁଛି । ଛୋଟରୁ ବଡ଼ ସମସ୍ତେ ଏକାଠି । ରୋଗକୁ ନାହିଁ ଭୃକ୍ଷେପ । ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅଧୀନସ୍ଥ ଶାଆଁଳପୁରରୁ । ଆରଡ଼ି ଭଦ୍ରକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜଣେ ଆତ୍ମ ଘୋଷିତ ମାତା, ମା’ଙ୍କ ବିଗ୍ରହ ରଖି ପୂଜା କରୁଛନ୍ତି । ପ୍ରତ୍ୟେକ ମଙ୍ଗଳବାର ଲୋକମାନେ ମା’ଙ୍କ ପୂଜା ପରେ ମାତାଙ୍କ ପାଖରୁ ହୁକୁମ ନେଇଥାନ୍ତି । ଏବେ କରୋନା ମହାମାରୀ ସମୟରେ ମଧ୍ୟ ଏଠାରେ ଭିଡ଼ ଲାଗୁଛି । କୋଭିଡ୍‌ ପାଇଁ ରାଜ୍ୟର ସବୁ ମଠ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବା ବେଳେ କେବଳ ପୂଜା ଚାଲିଛି । ହେଲେ ଏଠାରେ କୋଭିଡ୍‌ ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେହିଭଳି କୋରାପୁଟ ଲମତାପୁଟର କଞ୍ଚନା ଗାଁରେ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ମେଲୋଡି ସୋ’ ଘଟଣାର ତଦନ୍ତ ଆରମ୍ଭ ହୋଇଛି  । ମାଛକୁଣ୍ଡ ଥାନାଧିକାରୀ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇଥିଲେ । ଯାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଏସପି । ଅତିରିକ୍ତ ଏସପି ଓ ଜୟପୁର ଏସଡିପିଓ ଏହାର ତଦନ୍ତ ଦାୟିତ୍ୱ ନେଇଛନ୍ତି । କୋଭିଡ୍‌ କଟକଣାର ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋରାପୁଟ ଅତିରିକ୍ତ ଏସପି ।

Leave a Reply