ଡିଜିଟାଲ ଦୁନିଆରେ ଅଦୃଶ୍ୟ ଠକ, ଜଙ୍ଗଲ ମଝିରେ ‘ଜମତରା ଗ୍ୟାଙ୍ଗ’

ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ । ଶୁଣିଥିବେ ନିଶ୍ଚୟ ଏଭଳି ନାମ । ଯଦି ଶୁଣିଛନ୍ତି, ତେବେ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ । ସତର୍କ ନରହିଲେ ଗୋଟିଏ ମିନିଟରେ ଗାୟବ ହୋଇଯିବ ଜୀବନ ଯାକର ଉପାର୍ଜନ । କାରଣ ଏବେ ମାତିଛନ୍ତି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ । ଏଭଳି ଏକ ଭିଡିଓ ମିଳିବା ପରେ ଲୋକଙ୍କୁ ସତର୍କ କରିଛି କମିଶନରେଟ ପୋଲିସ ।

ପୋଲିସର ଶତ ଚେଷ୍ଟା ପରେ ମଧ୍ୟ ଲୁଟ, ଛିନତାଇ, ଠକେଇ ହେଉଛି । କେଉଁଠି ରାଜରାସ୍ତାରେ ତ, ଆଉ କେଉଁଠି ଦିନ ଦ୍ୱିପ୍ରହରରେ । କେଉଁଠି ଆଖିରେ ଲଙ୍ଗାଗୁଣ୍ଡ ପକାଇ ତ, ପୁଣି କେଉଁଠି ବନ୍ଧୁକ ଦେଖାଇ । କିନ୍ତୁ ପଡିଆରେ ବସି ଆରାମରେ ଲୁଟ କରୁଥିବା, ଏହି ଲୁଟେରାଙ୍କ ଭିଡିଓ ଏବେ ସାଧାରଣ ଲୋକଙ୍କ ନିଦ ହଜାଇଦେଇଛି । କାରଣ କେଉଁଠି, କେତେବେଳେ ମଧ୍ୟ କିଏ ଏମାନଙ୍କ ଫନ୍ଦିରେ ଫିକର ହୋଇପାରେ ।

ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ ଏବେ ନିଦ ହଜାଇ ଦେଇଛି । ଠକେଇର ଚରମ ସୀମାରେ ଏମାନେ । ଯାହାକୁ ନେଇ ଆଲର୍ଟରେ କମିଶନରେଟ ପୋଲିସ । କାରଣ ମିଳିଥିବା ଭିଡିଓରେ ଘର କିମ୍ବା କର୍ପୋରେଟ ଅଫିସ୍ ନୁହେଁ ଜଙ୍ଗଲରେ ରହି ଅପରେସନ୍ କରୁଛନ୍ତି ଠକ । ଚଳିତ ବର୍ଷ ସାଇବର ଠକେଇ 100ରୁ ଅଧିକ ମାମଲା ରୁଜୁ ହେଲାଣି । ଭାରତର 80 ପ୍ରତିଶତ ଠକେଇ ଜମତରା ଗ୍ୟାଙ୍ଗ ହିଁ କରୁଛନ୍ତି । ସବୁ ରାଜ୍ୟର ପୋଲିସ ଖୋଜୁଛି ସେମାନଙ୍କୁ । ତଥାପି ନୂଆ ନୂଆ ଉପାୟ ଖୋଜି ଲୋକଙ୍କୁ ଠକି ଚାଲିଛନ୍ତି ଏହି ଗ୍ୟାଙ୍ଗ ।

ଯଦିଓ ଓଡ଼ିଶାରେ ଜମତାରା ଗ୍ୟାଙ୍ଗ ଲିଙ୍କ ନାହିଁ ତଥାପି ସତର୍କ ରହିବାକୁ କହିଛନ୍ତି ପୋଲିସ କମିଶନର। ଠକେଇ ପାଇଁ ଶହେ ଚେଷ୍ଟାରେ ଥରେ ସଫଳ ହେଉଛନ୍ତି ଗ୍ୟାଙ୍ଗ। ଓଡିଶାରେ ଏଭଳି ଘଟଣା ଦେଖିବାକୁ ମିଳିନାହିଁ । ତଥାପି ଆଲର୍ଟରେ ରହିଛି ପୋଲିସ । ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏଭଳି ଠକେଇରୁ ବର୍ତ୍ତିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

Leave a Reply