ପେସା ତାଙ୍କର ଚୁଟି କାଟିବା, ସମାଜ କଲ୍ୟାଣ ପାଇଁ ଓହ୍ଲାଇଛନ୍ତି ନିର୍ବାଚନ ମଇଦାନକୁ; ବୟସ ୮୦ !

1 min read

ବାଲେଶ୍ୱର: ପେସା ତାଙ୍କର ଚୁଟି କାଟିବା । ଆଉ ନିଶା ହେଉଛି ସମାଜରେ ପରିବର୍ତ୍ତନ ଆଣିବା । ଏମିତି ଜଣେ ମଣିଷ ହେଉଛନ୍ତି ବାଲେଶ୍ୱର ସଦର ବିଧାନସଭା ଆସନ ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବେଣୁଧର ବାରିକ । ୮୦ ବର୍ଷୀୟ ବେଣୁଧର ଦୀର୍ଘଦିନ ଧରି ବାଲେଶ୍ୱର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଲଢେଇ କରୁଥିଲେ । ଆଉ ଏବେ ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇ ବସ୍ତି ବାସିନ୍ଦାଙ୍କ ପାଇଁ କାମ କରିବାକୁ ମନ ବଳାଇଛନ୍ତି ।

 

ଉପନିର୍ବାଚନ ପାଇଁ କମ୍ପୁଛି ବାଲେଶ୍ୱର ଜିଲ୍ଲା । ଭୋଟରଙ୍କୁ ମନାଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ପ୍ରଚାରରେ ଲାଗିପଡିଛନ୍ତି ୩ ପ୍ରମୁଖ ଦଳ । ହେଲେ ସେହି ଭିତରେ ପ୍ରଚାର ମୈଦାନରେ ଟିକିଏ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ପଟେ ଦଳୀୟ ପ୍ରାର୍ଥୀ ଭୋଟ ଭିକ୍ଷା କରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ଗୋଡ଼ ଧରୁଛନ୍ତି ଭୋଟର । ସହଯୋଗୀଙ୍କ ସହିତ ଘରକୁ ଘର ବୁଲି ସେ ଭୋଟ ପାଇଁ ନିବେଦନ କରୁଛନ୍ତି । ବିଜୟୀ ହେଲେ କଣ କରିବେ ସେ କଥା ମଧ୍ୟ ବୁଝାଇ ଦେଉଛନ୍ତି ।

ବେଣୁଧରଙ୍କ ଘର ବାହାନଗା ଅଞ୍ଚଳରେ । ୧୯୪୫ ମସିହାରୁ ସେ ବାଲେଶ୍ୱର ଆସି ଚୁଟି କାଟି ପରିବାର ପ୍ରତିପୋଷଣ କରୁଛନ୍ତି । ଏହାରି ଭିତରେ ବସ୍ତିରେ ରହୁଥିବା ଲୋକଙ୍କ ସମସ୍ୟା ପାଇଁ କାମ କରନ୍ତି ବେଣୁଧର । କିଏ ଘର ପାଇବ, ତ’ ପୁଣି କାହାର ଭତ୍ତା ପାଇଁ ବ୍ଲକ୍‌ ଅଫିସ ନହେଲେ ମ୍ୟୁନିସିପାଲିଟିକୁ ଦୌଡ଼ିଥାନ୍ତି ସେ । ବାମଦଳରେ ଦୀର୍ଘ ଦିନ ଧରି ସେ ସଦସ୍ୟ ରହି ସାରିଛନ୍ତି । ବାଲେଶ୍ୱର ଗୁଡ଼ିପଦାର ବାସିନ୍ଦା ବେଣୁଧର ଏଥର ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଲୋକଙ୍କ ପାଇଁ କାମ କରିବାକୁ ମନସ୍ଥ କରିଛନ୍ତି ।

ବେଣୁଧର ବାରିକଙ୍କ ଆତ୍ମବିଶ୍ବାସ ଓ ପଛୁଆବର୍ଗଙ୍କ ପାଇଁ ଦରଦ ତାଙ୍କୁ ସଫଳତାର କେତେ ନିକଟତର କରିପାରୁଛି ତାହା ଫଳାଫଳ ଘୋଷଣା ପରେ ହିଁ ସ୍ପଷ୍ଟ ହେବ ।

Leave a Reply