ଯୋଗୀଙ୍କ ରାସ୍ତାରେ ୟେଦ୍ଦିୟୁରପ୍ପା, ବେଙ୍ଗଳୁରୁ ହିଂସାକାରୀଙ୍କ ଠାରୁ ଆଦାୟ କରିବେ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ

1 min read

ବେଙ୍ଗଳୁରୁ: କେଜି ହଲ୍ଲି ଓ ଡିଜି ହଲ୍ଲିରେ ହୋଇଥିବା ହିଂସାକୁ ନେଇ କର୍ଣ୍ଣାଟକ ସରକାର କଠୋର ହୋଇଛନ୍ତି । ଏହି ହିଂସାରେ ସର୍ବସାଧାରଣ ଓ ଘରୋଇ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା । ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନ ଚାଲିଥିବା ବେଳେ ଏହାର ଭରଣା ଦୋଷୀଙ୍କ ଠାରୁ କରାଯିବ ବୋଲି କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରକାରେ ରାଜ୍ୟ ସରକାର କ୍ଲେମ୍ ମିଶନର ନିଯୁକ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ।

ଡିଜେ ହଲ୍ଲି ଓ କେଜି ହଲ୍ଲିରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ସେମାନଙ୍କ ବିରୋଧରେ UAPA ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି । ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ହିଂସା ଘଟଣାର ତଦନ୍ତ ଜାରି ରଖିଛି । ମାମଲାର ତ୍ୱରିତ ଶୁଣାଣି ପାଇଁ ୩ ଜଣ ସରକାରୀ ଓକିଲଙ୍କ ଟିମ୍ ଲାଗି ପଡ଼ିଛନ୍ତି । ଆବଶ୍ୟକ ହେଲେ ଏସ୍ଆଟି ଗୁଣ୍ଡା ଆକ୍ଟ ଧାରାରେ ମକଦ୍ଦମା ରୁଜୁ ଲାଗି ବିଚାର କରୁଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦିୟୁପ୍ପା ସୋମବାର କରିଥିବା ଟ୍ୱିଟ୍ ମୁତାବକ- କେଜି ହଲ୍ଲି ଓ ଡିଜି ହଲ୍ଲୀରେ ହୋଇଥିବା ହିଂସାରେ ବ୍ୟାପକ ଘରୋଇ ଓ ସର୍ବସାଧାରଣ ସମ୍ପତ୍ତି ନିଷ୍ଟ ହୋଇଛି । ଏହାର ଭରଣା ଦୋଷୀଙ୍କ ଠାରୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରକାରେ କ୍ଲେମ କମିଶନର ନିଯୁକ୍ତ ପାଇଁ ସରକାର ହାଇକୋର୍ଟ ଯିବେ ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୨ ତାରିଖ ରାତିରେ କର୍ଣ୍ଣାଟକ ରାଜଧାନୀରେ ଭୟାନକ ହିଂସା ହୋଇଥିଲା । ଏହି ହିଂସାରେ ଏବେ ଯାଏଁ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ୩ ଜଣଙ୍କ ମୃତ୍ୟୁ ଘଟଣା ଦିନ ରାତିରେ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଖି ବୁଜିଥିଲେ । ଏହି ହିଂସାରେ ପ୍ରାୟ ୬୦ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ ।

Leave a Reply