ମହଙ୍ଗା ପଡ଼ିଲା ଏତେମାତ୍ରାରେ ଟ୍ରାଫିକ ନିୟମ ଭାଙ୍ଗିବା, ପୋଲିସ ଧରାଇଲା ୨ ମିଟର ଲମ୍ବା ଚାଲାଣ

ବେଙ୍ଗାଲୁରୁ: ବିଭିନ୍ନ ସମୟରେ ଟ୍ରାଫିକ ନିୟମ ଭାଙ୍ଗିବାରୁ ଅନେକଙ୍କର ଚାଲାଣ କାଟିଛି ପୋଲିସ । କିଏ ହେଲମେଟ ପିନ୍ଧିନଥିବାରୁ ତ ପୁଣି କିଏ ଟ୍ରାଫିକ ନିୟମ ଭଙ୍ଗ କରିବା କାରଣରୁ ଫାଇନ ଦେଇଛି । ତେବେ ବେଙ୍ଗାଲୁରୁରେ ଜଣେ ଯୁବକଙ୍କ ଏତେ ଲମ୍ବା ଚାଲାଣ କଟିଲା ଯେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ମୁତାବକ ମଣ୍ଡିବାଲା ବାସିନ୍ଦା ଅରୁଣ କୁମାର ପେଶାରେ ଜଣେ ପରିବା ବିକାଳି ଅଟନ୍ତି । ତାଙ୍କୁ ହେଲମେଟ ପିନ୍ଧିବା ଏତେଟା ପସନ୍ଦ ନଥିବାରୁ ରାସ୍ତାରେ ଗାଡ଼ି ଚଲାଇବା ବେଳେ ବିନା ହେଲମେଟରେ ଗାଡ଼ି ଚଲାଉଥିଲେ । କିନ୍ତୁ ଏହାପରେ ତାଙ୍କୁ ଏମିତି ଝଟକା ଲାଗିଛି ଯେ ଆଉ କେବେ ବିନା ହେଲମେଟରେ ଗାଡ଼ି ଚଲାଇବା ଭାବିବେ ନାହିଁ ।

ସ୍କୁଟର ଠାରୁ ମହଙ୍ଗା ପଡ଼ିଲା ଚାଲାଣ !

ସୂଚନା ଅନୁଯାୟୀ ଶୁକ୍ରବାର ଦିନ ବିନା ହେଲମେଟରେ ଗାଡ଼ି ଚଲାଉଥିବାରୁ ଅରୁଣଙ୍କୁ ଟ୍ରାଫିକ ପୋଲିସ ଅଟକାଇଥିଲା । ସେମିତିରେ ତ ଏହି ସବୁ ମାମଲା ହଜାରେ ପାଞ୍ଚଶହ ଦେଇ ରଫାଦଫା ହୋଇଯାଏ କିନ୍ତୁ ଅରୁଣଙ୍କ ହୋସ ସେତେବେଳେ ଉଡ଼ିଗଲା ଯେତେବେଳେ ପୋଲିସ ଅରୁଣଙ୍କୁ ଏକ ୨ ମିଟର ଲମ୍ବା ଚାଲାଣ ଧରାଇଦେଲା । କେବଳ ସେତିକି ନୁହେଁ ୨୦ ହଜାର ଟଙ୍କାରେ କିଣିଥିବା ସେକେଣ୍ଡହ୍ୟାଣ୍ଡ ସ୍କୁଟର ଠାରୁ ଅଧିକ ମହଙ୍ଗା ପଡ଼ିଲା ଏହି ଚାଲାଣ ।

୭୭ଥର ଭାଙ୍ଗିଛନ୍ତି ଟ୍ରାଫିକ ନିୟମ

ମଣ୍ଡିବାଲା ପୋଲିସ ମୁତାବକ, ଅରୁଣ କୁମାର ଏଯାବତ ୭୭ଥର ଟ୍ରାଫିକ ନିୟମ ଭାଙ୍ଗିସାରିଛନ୍ତି । ଏହି ଚାଲାଣ କଟିବା ପରେ ଅରୁଣଙ୍କୁ ଫାଇନ ମୁତାବକ ୪୨,୫୦୦ ଟଙ୍କା ଭରିବାକୁ ପଡ଼ିବ । ସୂଚନା ଅନୁଯାୟୀ ପୋଲିସ ସ୍କୁଟରଟିକୁ ଜବତ କରିଛି । ତେବେ ଫାଇନ ଟଙ୍କା ପୈଠ କରିବା ପାଇଁ ଅରୁଣ ପୋଲିସକୁ କିଛି ସମୟ ମାଗିଛନ୍ତି ।

Leave a Reply