ଜମି କିଣାରେ ବ୍ୟାପକ ଦୁର୍ନୀତି, ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ପଚରାଉଚରା

ନୂଆଦିଲ୍ଲୀ: ବେନାମୀ ସମ୍ପତି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ପଚରାଉଚରା । ସମ୍ପତି ହାତେଇବା ଘୋଟଲାରେ ପୂର୍ବରୁ ଆୟକର ବିଭାଗ ଭଦ୍ରାଙ୍କୁ ନୋଟିସ ଜାରି କରିଥିଲା । ନୋଟିସ ପରେ ମଧ୍ୟ ବିଭାଗର କାର୍ଯ୍ୟାଳୟରେ ହାଜର ହୋଇନଥିଲେ ରବର୍ଟ ଭଦ୍ରା । ଏହାପରେ ଆୟକର ଅଧିକାରୀ ସିଳାସଳଖ ରବର୍ଟ ଭଦ୍ରାଙ୍କ ଅଫିସରେ ପହଁଚି ପଚରାଉଚରା ଜାରି ରଖିଛନ୍ତି ।

ସୂଚନା ମୁତାବକ, ଦକ୍ଷିଣ ପୂର୍ବ ଦିଲ୍ଲୀ ସ୍ଥିତ ସୁଖଦେବ ବିହାର ଅଞ୍ଚଳରେ ରହିଥିବା ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଁଚିଛି ଆୟକର ବିଭାଗ । ସେଠାରେ ତାଙ୍କର ବୟାନ ରେକର୍ଡ କରାଯିବା ସହ ପଚରାଉଚରା ଜାରି ରହିଛି । ଖବର ମୁତାବକ ବିକାନେର ଏବଂ ଫରିଦାବାଦ ଅଞ୍ଚଳରେ ଭଦ୍ରା ଜମି ଘୋଟୋଲା କରିଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ପୂର୍ବରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା । ଏବଂ ଆଜି କାର୍ଯ୍ୟାଳୟରେ ପଚରାଉଚରା କରୁଛି ଆୟକର ବିଭାଗ ।

ଅଭିଯୋଗକାରୀଙ୍କ କହିବା ମୁତାବକ, ରବର୍ଟ ଭଦ୍ରାଙ୍କ ସନଲାଇଟ ହସ୍ପିଟାଲିଟି ରାଜସ୍ଥାନର ବିକାନେର ଅଞ୍ଚଳରେ ଜମି କିଣାରେ ବ୍ୟାପକ ଦୁର୍ନୀତି କରିଛି । ଯାଞ୍ଚ କରୁଥିବା ସଂସ୍ଥା କହିଛି, ରବର୍ଟ ଭଦ୍ରାଙ୍କ ପାର୍ଟନସିପ ସଂସ୍ଥା ସ୍କାଇଲାଇଟ ହସ୍ପିଟାଲିଟି ୬୯.୫୫ ହେକ୍ଟର ଜମିକୁ ୭୨ ଲକ୍ଷ ଟଙ୍କାରେ କିଣିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଜମିକୁ ଏଲେଗେନୀ ଫିନଲେଜ କମ୍ପାନୀଙ୍କୁ ୫.୧୫ କୋଟି ଟଙ୍କାରେ ବିକ୍ରୟ କରିଛନ୍ତି । ଅର୍ଥାତ ଭଦ୍ରା ୪.୪୩ କୋଟି ଟଙ୍କା ସମାନ ଜମି ଉପରେ ଲାଭ କରିଛନ୍ତି । ଏହି ଅଭିଯୋଗକୁ ନେଇ ଗାନ୍ଧୀ ପରିବାରର ଜ୍ୱାଇଁ ଅର୍ଥାତ କଂଗ୍ରେସ ମହାସଚିବଙ୍କ ସ୍ୱାମୀଙ୍କୁ ପଚରାଉଚରା ଜାରି ରଖିଛି ଆୟକର ବିଭାଗ ।

Leave a Reply