ଜଙ୍ଗଲ ଛାଡି ରାସ୍ତାରେ ବୁଲୁଛି ଭାଲୁ, ଦେଖନ୍ତୁ ଭିଡିଓ…

1 min read
Bear At Tentulikhunti Road

ନବରଙ୍ଗପୁର: ଜଙ୍ଗଲ ଛାଡି ରାସ୍ତାରେ ବୁଲୁଛି ଭାଲୁ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗିସଲପା-ଉଦୟପୁର ରାସ୍ତାରେ ଏଭଳି ଭାଲୁଥିବାର ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଜଙ୍ଗଲ ଛାଡି ଜନବସତି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଏହି ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଭାଲୁର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଇନ୍ଦ୍ରାବତୀ ଓ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଭାଲୁ ବୁଲୁଥିବା ଖବର ପ୍ରଚାର ପରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଗତ ଜାନୁଆରୀ ୩ ତାରିଖ ରାତିରେ ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିରରେ ମଧ୍ୟ ଭାଲୁଙ୍କୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ଭାଲୁଟି ଗାଁର ମାଳି ସାହିରେ ଥୁବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଡା ମଧ୍ୟରେ ବୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ଭାଲୁଟି ଭତରା ସାହି ମଧ୍ୟରେ ପଶି ପୁଣି ଧାନ ଜମି ଦେଇ କେଉଁଆଡେ ଚାଲି ଯାଇଥିଲା ।

ତେବେ ଭାଲୁଟି ମନ୍ଦିର ପାଚେରୀ ଡେଇଁ ଆସି ମନ୍ଦିର ଭିତରେ ପଶିବାକୁ ଚେଷ୍ଟା କରୁଥିଲା । ମନ୍ଦିର ଗ୍ରିଲ ବନ୍ଦ ଥିବାରୁ ଭିତରକୁ ପଶି ପାରିନଥିଲା । ପରେ ଦୁଇ ଗୋଡ଼ରେ ଛିଡା ହୋଇ କିଛି ଖାଦ୍ୟ ଖୋଜୁଥିବା ଲୋକେ ଦେଖିଥିଲେ । ଭାଲୁଟି ଖାଦ୍ୟ ଅନ୍ୱେଷଣରେ ମନ୍ଦିର ଭିତରେ ଆସିଥିବା କୁହାଯାଉଛି ।

ଦିନକୁ ଦିନ ଜଙ୍ଗଲ ପଦା ହେବା ସହ ବନ୍ୟ ଜନ୍ତୁଙ୍କ ଖାଦ୍ୟାଭାବ ଦେଖା ଦେବା କାରଣରୁ ଭାଲୁ ମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି । କିଛିମାସ ହେବ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମକୁ ମାଳ ମାଳ ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ଭାଲୁମାନେ କାହାର କିଛି କ୍ଷତି କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି ।

Leave a Reply