ଦଶମ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳର ଅନୁରୋଧ

https://nandighoshatv.com/wp-content/uploads/2021/01/Odisha-Best-In-Country-In-Startup-Policy-Says-Naveen-Patnaik-4.jpg

ଭୁବନେଶ୍ୱର: ଦଶମ ବୋର୍ଡ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ । ଏଭଳି ଅନୁରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବି ରଞ୍ଜନ ତ୍ରିପାଠି । ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ, କରୋନା କାରଣରୁ ଅନେକ ପରିବାର ରୋଜଗାର ହରାଇ ବସିଛି । ଦୁଃଖ କଷ୍ଟରେ ଦିନ କଟୁଛି । ଏଭଳି ପରିସ୍ଥିତିରେ ଯଦି ସେମାନଙ୍କ ପିଲାଙ୍କ ପରୀକ୍ଷା ଫି ଛାଡ଼ କରାଯାଏ ତେବେ ଏହା ସେମାନଙ୍କୁ ଏକ ବଡ଼ ଉପକାର ସାବ୍ୟସ୍ତ ହେବ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଭିନ୍ନ ପରିବାରକୁ ଏହା ସାମାନ୍ୟ ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିବ ।

ଗତ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ର ଓ ଯୁବ ଗୋଷ୍ଠିଙ୍କୁ ଲୋକାଭିମୁଖି ହେବାକୁ ଏବଂ ଲୋକଙ୍କ ହିତ ପାଇଁ ବିଭିନ୍ନ ପସ୍ତାବ ଦେବାକୁ ଆହ୍ୱାନ କରିଥିଲେ । ଏହି କ୍ରମରେ ଆଜି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବିରଞ୍ଜନ ତ୍ରିପାଠି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହିତ ପାଇଁ ପରୀକ୍ଷା ଫି’ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ପୂର୍ବରୁ ବିଜେଡି କର୍ମୀଙ୍କ ଅନୁରୋଧ କ୍ରମେ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ନାମରେ ନାମିତ କରିଥିଲେ । ସେହିପରି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂରେ ସଂରକ୍ଷଣ କରିବାକୁ ଛାତ୍ର ବିଜେଡି ପ୍ରସ୍ତାବ ଦେଇଥିଲା । ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ ଏବଂ ରାଜ୍ୟ କ୍ୟାବିନେଟ୍‌ରେ ମଧ୍ୟ ଏନେଇ ସଂକଳ୍ପ ପାରିତ ହୋଇଛି ।

Leave a Reply