୧୬୦ କୋଟି ବ୍ୟୟରେ ନିର୍ମିତ ହେବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡର ହେବ ନବକଳେବର । ୧୬୦କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡକୁ ଦିଆଯିବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ରୂପ । ତେବେ ଏଥିରେ ବାଧକ ସାଜିଛି ଜବରଦଖଲ । ସମାନ୍ତରାଳ ଭାବେ ଚାଲିଛି ନିର୍ମାଣ କାର୍ଯ୍ୟ ଓ ଉଚ୍ଛେଦ ଅଭିଯାନ । ପ୍ରକଳ୍ପ କାର୍ଯ୍ୟ ପାଇଁ ତପୋବନ ନିକଟକୁ ସ୍ଥାନାନ୍ତର ହେବ ବସଷ୍ଟାଣ୍ଡ । ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଦୋକାନୀ ଓ ଜବରଦଖଲକାରୀ ।

ପ୍ରାୟ ୧୨ଏକର ପରିମିତ ବରମୁଣ୍ଡା ବସଷ୍ଟାଣ୍ଡ । ବଢିଛି ଲୋକସଂଧ୍ୟା, ବଢିଛି ଯାନବାହାନ ସଂଖ୍ୟା । ହେଲେ ବରମୁଣ୍ଡା ଯେଉଁଠି ଥିଲା ସେଇଠି ଅଟକି ରହିଛି । ଅନେକ ବାଧାବିଘ୍ନ ଯାହାକୁ ଦୃଷ୍ଟିରେ ରଖି ବିଡିଏ ପକ୍ଷରୁ ବରମୁଣ୍ଡାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ରୂପ ଦେବାକୁ ପ୍ରକଳ୍ପ ଚୂଡାନ୍ତ ହୋଇଛି । ଖର୍ଚ୍ଚ ହେବ ୧୬୦ କୋଟି ଟଙ୍କା । ହେଲେ ପ୍ରକଳ୍ପ କାର୍ଯ୍ୟରେ ବାଧକ ସାଜିଛି ଜବରଦଖଲ । ଏଣୁ ସମାନ୍ତରାଳ ଭାବେ ଆରମ୍ଭ ହୋଇଛି ନିର୍ମାଣ ସହିତ ଉଚ୍ଛେଦ କାମ । ବିଡିଏ ସଫା ସଫା କହିଛି, ସରକାରୀ ଜାଗାରେ ଜବରଦଖଲକୁ ବରଦାସ୍ତ କରାଯିବନି । ହେଲେ ଏହାକୁ ବିରୋଧ କରିଛନ୍ତି ଜବରଦଖଲକାରୀ ।

ସେପଟେ ବସଷ୍ଟାଣ୍ଡ ଭିତରେ ରହିଛି ୧୩୦ଦୋକାନ ଘର । ଦୀର୍ଘ ବର୍ଷ ପୂର୍ବେ ଲିଜ୍ ସୂତ୍ରରେ ଦୋକନୀ ପାଇଥିଲେ ଘର । ବସଷ୍ଟାଣ୍ଡର ବିକାଶ ପାଇଁ ଦୋକାନୀଙ୍କୁ ବିଡିଏ ଦେଇଛି ଉଚ୍ଛେଦ ନୋଟିସ । ହେଲେ ଥଇଥାନର ପ୍ରତିଶ୍ରୁତି ମିଳିନଥିବାରୁ ଅସନ୍ତୋଷ ଜାହିର୍ କରିଛନ୍ତି ଦୋକାନୀ ଓ ବ୍ୟବସାୟୀ ସଂଘ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଉଭୟ ଉଚ୍ଛେଦ ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

Leave a Reply