କରୋନା କଟକଣା ଯୋଗୁଁ ବନ୍ଦ ହେଲା ଶହଶହ ବର୍ଷର ବଳିଯାତ୍ରା ପରମ୍ପରା, କେବଳ ପରମ୍ପରା ପାଳିଲେ ପୂଜକ

ସୋନପୁର: ଖାଁ ଖାଁ ସୁବର୍ଣ୍ଣପୁରର ତନ୍ତ୍ରପୀଠ । ବନ୍ଦ ରହିଛି ମାଆଙ୍କ ବଳି ଯାତ୍ରା । ୯ ଦିନ ଧରି ଏହି ଯାତ୍ରା କରୋନା କଟକଣା ଯୋଗୁଁ ବନ୍ଦ ରହିଛି । କାଁ ଭାଁ ଶ୍ରଦ୍ଧାଳୁ ଦୀପଟିଏ ଜାଳିଦେଇ ଯାଉଥିବାବେଳେ ମନ୍ଦିର ଭିତରେ ପୂଜାରୀମାନେ କେବଳ ପାଳନ କରିଛନ୍ତି ପରମ୍ପରା । ଦଶହରା ଅବସରରେ ପ୍ରତିବର୍ଷ ଲୋକାରଣ୍ୟ ଥିବା ଏହି ତନ୍ତ୍ରପୀଠ ଏବେ ଶୂନସାନ୍ ।

ରାଜାରାଜୁଡା ଅମଳର ବଳିଯାତ୍ରା ବନ୍ଦ । କରୋନା କଟକଣା ଯୋଗୁଁ ବନ୍ଦ ରହିଛି ଯାତ୍ରା । ୯ ଦିନ ବ୍ୟାପୀ ଚାଲୁଥିବା ଯାତ୍ରା କେବଳ ପରମ୍ପରାରେ ସୀମିତ । ମନ୍ଦିର ଭିତରେ ପୂଜାରୀମାନଙ୍କୁ ଛାଡିଦେଲେ କାଁ ଭାଁ ଭକ୍ତ ଦୀପଟିଏ ଜାଳିଦେଇ ଯାଉଛନ୍ତି । ବଳି କହିଲେ ସାଧାରଣତଃ ପଶୁ ପକ୍ଷୀଙ୍କ ବଳିଙ୍କୁ ବୁଝାଇଥାଏ । କିନ୍ତୁ ଏଠାରେ ଯନ୍ତ୍ରମନ୍ତ୍ରକୁ ଆଧାର କରି ସମର୍ପଣ ଭାବରେ ପାଳିତ ହୁଏ ଯାତ୍ରା । ୩୬ ପାଟକ ବା ସମ୍ପ୍ରଦାୟର ଲୋକେ ଏଥିରେ ନିୟୋଜିତ ହୋଇଥାନ୍ତି ।

ଖମ୍ବେଶ୍ୱରୀଙ୍କ ପୀଠରେ ୯ଦିନ ଧରି ପାଳିତ ହୁଏ ଅଷ୍ଟଚଣ୍ଡୀଙ୍କ ବଳିଯାତ୍ରା । ବରୁଆକୁ ଅରୁଆ ଚାଉଳରେ ତିଆରି ଯନ୍ତ୍ରରେ ମନ୍ତ୍ରପୂତ କରି ପ୍ରକଟିତ ହୁଏ ଦୈବୀଶକ୍ତି । ଶୋଳ ଭରନୀ ବାଦ୍ୟର ତାଳେତାଳେ ନୃତ୍ୟକରି ଦର୍ଶନ ଦିଅନ୍ତି ମହାବଳି । ଆଶ୍ୱିନ ଅମାବାସ୍ୟାରୁ ପୂର୍ଣ୍ଣମୀ ଯାଏଁ ପାଳିତ ହୁଏ ଏହି ଯାତ୍ରା । ହେଲେ କରୋନା ଉଜାଡିଛି ପରମ୍ପରା ।

ପ୍ରଥମ ଦିନରେ ଉଆଁସ ବଳିରୁ ଆରମ୍ଭ ହୋଇ ନିଶାବଳି, ଖଉଳ ବଳି, ଡାଙ୍ଗୁଆ ବଳି, ଗାୟନ ବଳି, ନବମୀ ବଳି, ମହାବଳି, ଦଶହରା ବଳି ଓ ପୂର୍ଣ୍ଣମୀ ବଳି ଆଦି ଏଠାରେ ୯ ପ୍ରକାର ବଳି ପାଳନ ହୁଏ ।

Leave a Reply