ଅନ୍ଧବିଶ୍ୱାସ ଜାଲରେ ଅଧ୍ୟାପକ: ସାପ କାମୁଡ଼ା ରୋଗୀଙ୍କୁ ଡାକ୍ତର ବଦଳରେ ଗୁଣିଆ ଭଳି ଅଧ୍ୟପାକ କରୁଛନ୍ତି ଚିକିତ୍ସା

ବାଲେଶ୍ୱର: ଅନ୍ଧବିଶ୍ୱାସର ଅନ୍ଧଗଳିରେ ଘୂରି ବୁଲୁଛି ମଣିଷ । ଅତ୍ୟାଧୁନିକ ଯୁଗରେ ବି ମଣିଷ ମନରେ ବଞ୍ଚିରହିଛି ଅନ୍ଧବିଶ୍ୱାସର ଅଜ୍ଞାନତା । ବିଜ୍ଞାନ ଯେତେ ଅଗ୍ରଗତି କଲେ ବି ମଣିଷର ମାନସିକତାରେ ପରିବର୍ତ୍ତନ ହୋଇନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ସରକାରୀ ଡାକ୍ତରଖନାରେ ।

ଜଣେ ସାପ କାମୁଡା ରୋଗୀଙ୍କୁ ସେଠାରେ ଝଡାଫୁଙ୍କା କରାଯାଉଛି । ସାପ କାମୁଡ଼ିଥିବା ବ୍ୟକ୍ତି ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଜଣେ ଅଧ୍ୟାପକ ସାପ କାମୁଡିଥିବା ଲୋକଙ୍କୁ ଡାକ୍ତରଖାନାରେ ଝଡାଫୁଙ୍କା ଚିକିତ୍ସା କରୁଛନ୍ତି ।

ଦେଖନ୍ତୁ ଏ ଦୃଶ୍ୟ । ବ୍ୟକ୍ତିଙ୍କ ଗୋଡ଼କୁ ଧରି ଝଡ଼ାଫୁଙ୍କା କରୁଛନ୍ତି ଅଧ୍ୟାପକ । ଝଡାଫୁଙ୍କା କରୁଥିବା ବ୍ୟକ୍ତି ସୋର ଅନନ୍ତପୁର ମହାବିଦ୍ୟାଳର ଅଧ୍ୟାପକ । ସେ ସାପ ବିଷ ନଷ୍ଟ କରିବା ପାଇଁ ଝଡା ଫୁଙ୍କା କରୁଥିଵାର ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଜଣେ ଶିକ୍ଷିତ ବ୍ୟକ୍ତି ଏଭଳି ମାନସିକତା ରଖୁଥିବା ନେଇ ଡାକ୍ତରଖାନା ପରିସରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ଅନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ଏକ ବିଷଧର ସାପ କାମୁଡ଼ି ଥିଲା ଏବଂ ସେ ସୋର ମେଡିକାଲ ଆସିଥିଲେ । ମେଡିକାଲରେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏହାପରେ ସୋର ସାରସତ୍ତ୍ୱ ମହାବିଦ୍ୟାଳୟରେ ସଂସ୍କୃତ ଅଧ୍ୟାପକ ଥିବା ରାଜାରାମ ମଲ୍ଲିକ ଯୁବକ ଜଣଙ୍କୁ ଝଡ଼ାଫୁଙ୍କା କରିବା ପାଇଁ କହିଥିଲେ । ତାଙ୍କ କହିବା ଅନୁଯାୟୀ ସେ ପୂର୍ବରୁ ଏପରି ଅନେକ ସାପ କାମୁଡ଼ା ରୋଗୀଙ୍କୁ ଭଲ କରିଛନ୍ତି ଏବଂ ଏଥିରେ ଡାକ୍ତରଙ୍କ ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ ।

ପରେ ଡାକ୍ତରଖାନା ପରିସରରେ ଅଧ୍ୟାପକ ଜଣଙ୍କ ଯୁବକଙ୍କ ଗୋଡ଼ରେ ଅରଖ ଫୁଲ ଲଗାଇ ଝଡ଼ାଫୁଙ୍କା ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ  ଡାକ୍ତରଙ୍କ ମେଡିସିନ ଖାଇବା ପେର ଯୁବକ ଜଣଙ୍କ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସୂଚନା ରହିଛି ।

Leave a Reply