ବିଜେଡିରେ ବାଲେଶ୍ୱର ରାଜନୀତିର ଭୀଷ୍ମ ଅରୁଣ ଦେ

1 min read
BJD Arun Dey

ବାଲେଶ୍ୱର: ବିଜେଡିରେ ଯୋଗଦେଲେ ବାଲେଶ୍ୱର ରାଜନୀତିର ଭୀଷ୍ମ କୁହାଯାଉଥିବା ବରିଷ୍ଠ ନେତା ଅରୁଣ ଦେ । ଉପ-ନିର୍ବାଚନ ପୂର୍ବରୁ ଦାଦା ଶଙ୍ଖ ଧରିବା ଦଳର ଶକ୍ତି ବଢାଇବ ବୋଲି କୁହାଯାଉଛି । ଗଲା ନିର୍ବାଚନରେ ସଦର ଆସନ ଥିଲା ବିଜେପି ହାତରେ । ହେଲେ ସଦର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ବିଜେଡି ଦଖଲ କରିଥିଲା । ଆଜିର ଏହି ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତି ହିଁ ବୟାନ କରୁଛି,  ବିଜେଡି କୌଣସି ହାଲ୍‌ତରେ ପୁଣି ଥରେ ବାଲେଶ୍ୱର ହାତଛଡ଼ା କରିବା ମୁଡ୍‌ରେ ନାହିଁ ।

୫୦ ବର୍ଷର ଲମ୍ବା ରାଜନୈତିକ କ୍ୟାରିୟର । ପାଞ୍ଚ ପାଞ୍ଚଥରର ବିଧାୟକ ଅରୁଣ ଦେ ଏବେ ବିଜେଡିରେ । ଉପନିର୍ବାଚନ ପୂର୍ବରୁ ବିରୋଧିଙ୍କୁ ବିଜେଡି ଦେଇଛି ଚକ୍‌ମା । କାରଣ ସଦର ନିର୍ବାଚନ ମଣ୍ଡଳିର ୩୭ଟି ପଞ୍ଚାୟତରେ ଦାଦାଙ୍କ ରହିଛି ସ୍ୱତନ୍ତ୍ର ସଂଗଠନ । ଏହି ସାଂଗଠନିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଜି ଅରୁଣ ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ବାଲେଶ୍ୱର କଂଗ୍ରେସର ଆଗଧାଡ଼ିର କର୍ମକର୍ତ୍ତାମାନେ ମଧ୍ୟ ବିଜେଡିକୁ ଆସିଛନ୍ତି । ତେବେ ସଦରରେ ବାମପନ୍ଥୀ ଭୋଟ ବ୍ୟାଙ୍କକୁ ଦାଦା ହାଇଜାକ୍ କରି ବିଜେଡିକୁ ଦେବା ଏଥିରୁ ସୁନିଶ୍ଚିତ ହୋଇଯାଇଛି ।

ବାଲେଶ୍ୱରରେ ଆୟୋଜିତ ଏହି ମହାମିଶ୍ରଣ କାର୍ଯ୍ୟକ୍ରମ ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ, ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ବିଧାୟକ ଦେବୀ ମିଶ୍ର, ବରିଷ୍ଠ ନେତା ପ୍ରତାପ ଦେବ, ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁ । ବରିଷ୍ଠ ନେତାଙ୍କ ଉପସ୍ଥିତି ହିଁ ବୟାନ କରୁଥିଲା, ବିଜେଡିର ବାଏ ଇଲେକ୍ସନ୍ ଷ୍ଟ୍ରାଟେଜି କେତେ ମଜବୁତ୍ ।

୨୦୧୯ ନିର୍ବାଚନରେ ୧ ଲକ୍ଷ ୮୩ ହଜାର ୧୩ ଜଣ ଭୋଟର ମତଦାନ କରିଥିଲେ । ଫଳାଫଳ ଅନୁସାରେ ବିଜେପି ୧୩ ହଜାର ୪୦୬ ଖଣ୍ଡ ଅଧିକ ଭୋଟ ପାଇ ଜିତିଥିଲା । ତେବେ ସଦର ପଞ୍ଚାୟତ ସମିତି ଓ ବାଲେଶ୍ୱର ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି । ଏପରିକି ବାଲେଶ୍ୱର ପୌର ପରିଷଦ ମଧ୍ୟ ଅଛି ବିଜେଡି କବ୍‌ଜାରେ । ଏଭଳି ସ୍ଥିତିରେ ଅରୁଣ ଦେଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବା ସହ ବିଜୟ ବ୍ୟବଧାନକୁ ବୃଦ୍ଧି କରିବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି ।

Leave a Reply