ପୁଣି ଜାମିନ ଆବେଦନ ଖାରଜ, କୋର୍ଟ କହିଲେ ଆହୁରି ଅନେକ ମାମଲା ରହିଛି

Pradeep Sethi

ଭୁବନେଶ୍ୱର: ପୁଣି ଖାରଜ ହେଲା ଜାମିନ । ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜେଲରୁ ମୁକୁଳିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ପ୍ରଦୀପ । ନିଜ ଆବେଦନରେ ସେ ସାତବର୍ଷ ଜେଲରେ ଥିବା ଦର୍ଶାଇ ଥିଲେ । ତେବେ ଏକାଧିକ ମାମଲା ଯୋଡି ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି ବୋଲି ସେ ଦର୍ଶାଇଥିଲେ । ନଭେମ୍ବର ୨୭ରେ ଶୁଣାଣି ସରିଥିଲା ଓ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ପ୍ରଦୀପଙ୍କ ବିରୁଦ୍ଧରେ ଗୋଟିଏ ମାମଲାରେ ଦଣ୍ଡ ବିଧାନ ହୋଇଛି ଏବଂ ଏକାଧିକ ଅନ୍ୟ ମାମଲାର ବିଚାର ଚାଲିଛି ବୋଲି ରାୟରେ ଦର୍ଶାଇ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ଅର୍ଥତତ୍ୱ ଚିଟଫଣ୍ଡ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପ୍ରଦୀପ ସେଠି । ସିବିଆଇ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରି ତାଙ୍କୁ ଗିରଫ କରିଛି । ସେ ଏବେ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି । ତେବେ ପୂର୍ବରୁ ପ୍ରଦୀପ ସେଠୀ ଥରେ ଆତ୍ମହତ୍ୟା ଉଦ୍ୟମ କରି ସାରିଛନ୍ତି । ଝାରପଡ଼ା ଜେଲ୍‌ ଟଏଲେଟ୍‌ରେ ଲାଗିଥିବା ଇନଭର୍ଟର ତାରରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଟଏଲେଟ୍‌ କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଜେଲ୍‌ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପ୍ରଦୀପଙ୍କୁ କଟକ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା ।

Leave a Reply