ଆୟେଶା ଆତ୍ମହତ୍ୟା ମାମଲା, ପୋଲିସ ହାତରେ ୭୦ମିନିଟର କଲ୍ ରେକର୍ଡ

ଅହମ୍ମଦାବାଦ: ଆୟେଶା ଆତ୍ମହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ହାତରେ ଲାଗିଛି ସେହି ୭୦ମିନିଟର ରେକର୍ଡିଂ, ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ଆୟେଶା ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଛନ୍ତି । ଆଉ ଏହି ରେକର୍ଡିଂରୁ ଅନେକ ରହସ୍ୟ ସାମ୍ନାକୁ ଆସିପାରେ । କାହିଁକି ଆତ୍ମହତ୍ୟାର ସାହାର ନେଇ ଥିଲେ ଆୟେଶା ? ଏହି ଅଡ଼ିଓରେ ଏମିତି କଣ ଅଛି ଯାହାକୁ ପୋଲିସ ବଡ଼ ସଫଳତା ବୋଲି କହୁଛି ?

ଏସବୁ ଜାଣିବା ଆଗରୁ ଆସନ୍ତୁ ନଜର ପକାଇଦେବା ଆୟେଶାଙ୍କ ଆତ୍ମହତ୍ୟାର ପୂରା ଘଟଣା
ଅହମ୍ମଦାବାଦର ସାବରମତି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଆୟେଶା । ଆଉ ମୃତ୍ୟୁ ପୂର୍ବରୁ ସେ ଯେଉଁ ଭିଡ଼ିଓ କରିଥିଲେ ତାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ପୋଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ରାଜସ୍ଥାନରୁ ଆୟେଶାଙ୍କ ସ୍ୱାମୀ ଆରିଫଙ୍କୁ ଗିରଫ କରିଛି । ଆରିଫ ଗିରଫ ହେବା ପରେ ପୋଲିସ ତନାଘନା ଜାରି ରଖିଛି । ଏପର୍ଯ୍ୟନ୍ତ ଆୟେଶାଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ହାତରେ ଅନେକ ପ୍ରମାଣ ଲାଗିଛି।

ଆୟେଶାଙ୍କ ସ୍ୱାମୀ ଆରିଫଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ପୋଲିସ । ଏହାସହ ଆୟେଶାଙ୍କ ପରିବାର କହିଥିଲେ ଯେ, ଆୟେଶା ଆତ୍ମହତ୍ୟା କରିବା ପୂର୍ବରୁ ଫୋନରେ ଆରିଫଙ୍କ ସହ ପ୍ରାୟ ୭୦ ମିନିଟ୍ କଥା ହୋଇଥିଲେ । ଆଉ ଏବେ ଏହାର ଅଡିଓ ରେକର୍ଡିଂ ପୋଲିସକୁ ମିଳିଛି । ଏଥିରେ ଯାହା ଆରିଫ୍ କହିଛନ୍ତି ତାହା ଶୁଣିଲେ ଆପଣ ତାଜୁବ୍ ହୋଇଯିବେ । ଫୋନରେ ଆରିଫ ଆୟେଶାଙ୍କୁ କହୁଛନ୍ତି ଯେ, ତୁ ମରି ଯା କିନ୍ତୁ ତା ପୂର୍ବରୁ ମୋତେ ଭିଡିଓ ପଠେଇ ଦବୁ । ଆଉ ଠିକ୍ ଏମତି ହିଁ କରିଛନ୍ତି ଆୟେଶା । ଆରିଫଙ୍କୁ ଭିଡ଼ିଓ ପଠାଇ ସାବରମତି ନଦୀରେ ସମାଧି ନେଇଯାଇଛନ୍ତି ସେ ।

ଏହାସହ ଆୟେଶାଙ୍କ ପରିବାର ଲୋକ ଆଉ ଏକ ଅଭିଯୋଗ ଆଣିଛନ୍ତି । ପରିବାର ଲୋକ କହିଛନ୍ତି ଯେ, ଆରିଫ ଅନ୍ୟ ଝିଅ ସହ ପ୍ରେମ ସମ୍ପର୍କ ରଖିଥିଲେ, ତେଣୁ ସେ ଆୟେଶାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ । ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ମୋବାଇଲ୍ ତଥ୍ୟ ମାଧ୍ୟମରେ ଅଧିକ ଯାଞ୍ଚ କରିବାକୁ ଚେଷ୍ଟା କରୁଛି । ଆରିଫ ପ୍ରକୃତରେ ଅନ୍ୟ ଝିଅ ସହ ସମ୍ପର୍କରେ ଥିଲା ନା ନାହିଁ ଏବଂ ଯଦି ସେ ଆଉ କାହା ସହ ସମ୍ପର୍କରେ ଥିଲା, ତାହାଲେ ସେ ଝିଅ କିଏ ? ଆଉ ସେହି ଝିଅ ପାଇଁ ସେ, ଆୟେଶାଙ୍କୁ ନିର୍ଯାତନା ଦେଉ ନଥିଲା ତ ? ଏସବୁ ଦିଗ ପ୍ରତି ଖୋଳତାଡ଼ କରୁଛି ପୋଲିସ ।

ଆୟେଶା ୨୦୨୦ ମସିହାରେ ଅହମ୍ମଦାବାଦର ବଟବା ପୋଲିସ ଷ୍ଟେସନରେ ଆରିଫ ଏବଂ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଯେଉଁଥିପାଇଁ ଆରିଫ ଏବଂ ତାଙ୍କ ପରିବାରକୁ ପୋଲିସ ଗିରଫ ମଧ୍ୟ କରିଥିଲା। କିନ୍ତୁ ପରେ ଆରିଫଙ୍କ ପରିବାର ଜାମିନରେ ଆସିଥିଲେ । ତେବେ ପୋଲିସ ପାଇଥିବା ୭୦ ମିନିଟର ଅଡିଓ ରେକର୍ଡିଂରେ ଆୟେଶା ଏବଂ ଆରିଫଙ୍କ ମଧ୍ୟରେ ଏହି ଯୌତୁକ ସମ୍ପର୍କରେ ବାର୍ତ୍ତାଳାପ ମଧ୍ୟ ହୋଇଛି । ଆରିଫ ଅନେକ ଥର ଆୟେଶାଙ୍କୁ ଏହି ଅଭିଯୋଗକୁ କୋର୍ଟରୁ ଉଠାଇବାକୁ ଚାପ ପକାଉଥିବା ମଧ୍ୟ ଜଣାପଡ଼ିଛି ।

ବର୍ତ୍ତମାନ ପୋଲିସ ଆୟେଶାଙ୍କ ମୋବାଇଲ ଅଡିଓ ଏବଂ ଆରିଫ ମୋବାଇଲର ଭିଡିଓ ଓ ଅଡିଓ ଜରିଆରେ ଏହି ମାମଲାରେ ଅନେକ ପ୍ରମାଣ ସଂଗ୍ରହ କରୁଛି । ତେବେ ମୋବାଇଲ୍ ଫୋନର ଅଡିଓ ଯାଞ୍ଚ ପାଇଁ ପଠାଯିବ। କାରଣ ଏହିଭଳି ମାମଲା ଯେତେବେଳେ କୋର୍ଟକୁ ଯାଏ, ଅଡ଼ିଓରେ ଥିବା ଭଏସ୍ ଆଇଡେଣ୍ଟିଫିକେସନ୍ ମାଧ୍ୟମରେ ହିଁ ଉପସ୍ଥାପିତ ହେବ ।

Leave a Reply