Ind vs Aus: ୩୬ ରନ୍‌ରେ ସୀମିତ ଭାରତ, ୮ ଓ୍ୱିକେଟରେ ମ୍ୟାଚ୍‌ ଜିତିଲା ଅଷ୍ଟ୍ରେଲିଆ

1 min read

ଆଡିଲେଡ: କ୍ରିକେଟ ଇତିହାସରେ ଭାରତୀୟ ଦଳ ପାଇଁ ସବୁଠାରୁ ଲଜ୍ଜାଜନକ ଦିନ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଦ୍ୱିତୀୟ ପାଳିରେ ମାତ୍ର ୩୬ ରନରେ ଅଲ୍ଆଉଟ୍ ହୋଇଛି ଭାରତୀୟ ଦଳ । ଟେଷ୍ଟ ମ୍ୟାଚ୍‌ରେ କୌଣସି ଦଳ ବିପକ୍ଷରେ କରାଯାଇଥିବା ସ୍କୋର ମଧ୍ୟରେ ଏହା ସବୁଠାରୁ କମ୍ । ପ୍ରଥମ ଇଂନିସରେ ଅଗ୍ରଣୀ ଥିବା ୫୩ ରନ୍ ଏବଂ ଦ୍ୱିତୀୟ ପାଳିର ୩୬ ରନ୍ ମିଶାଇଲେ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ଥିଲା ୯୦ ରନ୍ । ଯାହାକୁ ଅତି ସହଜରେ ହାସଲ କରିପାରିଛି କଙ୍ଗାରୁ ଦଳ ।

ଆଡିଲେଡ୍ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛନ୍ତି । ଆଜି ଏମିତି ଲାଗୁଥିଲା ଯେମିତି ଭାରତୀୟ ବ୍ୟାଟସମ୍ୟାନ୍ ଜଲଦିରେ ଅଛନ୍ତି । ସେମାନେ ପ୍ୟାଭିଲିୟନରୁ ପଡିଆକୁ ଆସୁଥିଲେ ଓ ଜଣକ ପରେ ଜଣେ ପାଭିଲିୟନକୁ ଫେରି ଯାଉଥିଲେ ।  ପେଟ୍ କମିଂସ ଓ ଜୋସ ହେଜଲବୁଡ ମିଳିତ ଭାବେ ଆଜି ଟିମ୍ ଇଣ୍ଡିଆକୁ ନିଜ ବୋଲିଂରେ ନଚାଇଥିଲେ । ପ୍ରଥମ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ଭଲ ଲିଡ୍ ହାସଲ କରିବାକୁ ଚାହୁଁଥିଲା । ଏକ ବଡ ସ୍କୋର ଛିଡା କରି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ପାଇଁ ସବୁ ରାସ୍ତା ବନ୍ଦ କରିବା ଲକ୍ଷ୍ୟରେ ଥିଲା ।  କିନ୍ତୁ ତୃତୀୟ ଦିନ ଖେଳ ଆରମ୍ଭ ହେବା ସହ ପେଟ୍ ଓ ହେଜଲବୁଜ୍ ଜୋଡି ଅଷ୍ଟ୍ରେଲିଆ ପାଇଁ ମୋର୍ଚ୍ଚା ସମ୍ଭାଳିଥିଲେ । ଏହା ପରେ ଜଣକ ପରେ ଜଣେ ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ । ଲାଗୁଥିଲା ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି । ଭାରତ ୯ ୱିକଟରେ ୩୬ ରନ କରି ଇନିଂସ ଡିକ୍ଲାର କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ୍ କ୍ରିକେଟରେ ଭାରତର ସବୁଠାରୁ କମ ସ୍କୋରର ରେକର୍ଡ ୪୨ ରନ୍ ରହିଥିଲା । ଜୁନ୍ ୧୯୭୪ ମସିହାରେ ଭାରତ ଇଂଲଣ୍ଡ ବିରୋଧରେ ମାତ୍ର ୪୨ ରନରେ ଅଲ ଆଉଟ୍ ହୋଇଥିଲା । ସେହିଭଳି ୧୯୪୭ରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ପର୍ଥ ଟେଷ୍ଟରେ ୫୮ ରନରେ ଅଲ ଆଉଟ୍ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ସେମାନେ ଆସିଲେ ଓ ଗଲେ,ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ଲଜ୍ଜାଜନକ ପ୍ରଦର୍ଶନ

Leave a Reply