ବିସ୍ଫୋରକ ବୋଝେଇ ଟ୍ରକ୍‌ ପୋଡ଼ି ପାଉଁଶ, ଆଖପାଖ ଅଞ୍ଚଳ ବି ଥରିଲା

Karnataka Blast

କର୍ଣ୍ଣାଟକ: କର୍ଣ୍ଣାଟକ ଶିମୋଗାରେ ଜିଲ୍ଲା ହଁସୁରରେ ଥିବା ରେଲୱେ କ୍ରସର ସାଇଟ୍‌ରେ ଭୟାବହ ବିସ୍ଫୋରଣ । ଡିନାମାଇଟ୍‌ ବ୍ଲାଷ୍ଟ୍‌ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ଜଣ ଶ୍ରମିକ ଅଛନ୍ତି । ଏପର୍ଯ୍ୟନ୍ତ ମୃତକ ମାନଙ୍କ ପରିଚୟ ମିଳିପାରିନି ।

ଗୁରୁବାର ରାତି ସାଢେ ୧୦ଟା ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକରେ ବିସ୍ଫୋରଣ ଘଟିଛି । ଟ୍ରକଟି ଡିନାମାଇଟ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ନେଇ ନିକଟବର୍ତ୍ତୀ ଖଣିକୁ ଯାଉଥିବା ବେଳେ ଅଘଟଣ ଘଟିଥିବା କୁହାଯାଉଛି ।

ବିସ୍ଫୋରଣରେ ଟ୍ରକଟି ସଂପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର ପୁରା ଅଞ୍ଚଳ ଥରି ଉଠିଥିଲା । ଆଖ ପାଖ ଅଞ୍ଚଳରେ ଅନେକ କ୍ଷତି ମଧ୍ୟ ହୋଇଛି । ଘର କାଚ ଭାଙ୍ଗିଥିବା ବେଳେ ଗାର୍ଡେନ୍‌ ମଧ୍ୟ ନଷ୍ଟ ହୋଇଛି । ଅନେକ କାର କାଚ ମଧ୍ୟ ଭାଙ୍ଗିଛି । ବିସ୍ଫୋରଣର ଶବ୍ଦ ପାଖ ଚିକ୍କମଙ୍ଗଲୁରୁ ଓ ଦେବନାଗିରି ଜିଲ୍ଲାରେ ମଧ୍ୟ ଶୁଣାଯାଇଥିବା ସୂଚନା ମିଳିଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି ।

Leave a Reply