ଚଳିତ ମାସ ୨୦ରୁ ବିଧାନସଭା ଶୀତ ଅଧିବେଶନ, ଆସିବ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍

1 min read

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୩୧ ଯାଏଁ ଚାଲୁ ରହିବ । ଏହି ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରଖାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ଅଧିବେଶନରେ ଅତିରିକ୍ତ ବଜେଟ୍ ଆସିବ । ଶନିବାର ଓ ରବିବାର ମଧ୍ୟ ବିଧାନସଭା ଚାଲିବ । ଅଧିବେଶନର ପ୍ରଥମ ଦିନ ଅର୍ଥାତ ନଭେମ୍ବର ୨୦ରେ ହିଁ  ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରାଯିବ  ।

ଏ ସଂକ୍ରାନ୍ତରେ ଏକ ବିଧିବଦ୍ଧ ବିଜ୍ଞପ୍ତି ବୁଧବାର ଗଣମାଧ୍ୟମର ହସ୍ତଗତ ହୋଇଛି । ପୂର୍ବରୁ କୋଭିଡ଼ କଟକଣା ସହ ମୌସୁମୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୨୯ରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆସିବ । ଗତ ମୌସୁମୀ ଅଧିବେଶନରେ ସମସ୍ତ ବିଧାୟକ, ସେମାନଙ୍କ ସହଯୋଗୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବିଧାନସଭାର କର୍ମଚାରୀଙ୍କର କୋଭିଡ଼ ଟେଷ୍ଟିଂ କରାଯାଇଥିଲା । କୋଭିଡ଼ ସଂକ୍ରମିତ ନ ଥିବା ବିଧାୟକ ହିଁ ଗୃହକୁ ପ୍ରବେଶ କରିଥିଲେ । ଗୃହ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବା ସହ କାଚ ଲଗାଯାଇଥିଲା । ଦର୍ଶକ ଗ୍ୟାଲେରୀକୁମଧ୍ୟ ବିଧାୟକମାନଙ୍କ ପାଇଁ ବ୍ୟବହାର ହୋଇଥିଲା ।

କୋଭିଡ଼ ଯୋଗୁ ବିଧାନସଭା ଆସିବା ବାଧ୍ୟତାମୂଳକ ନ ଥିଲା । ଯେଉଁମାନେ ଚାହିଁଥିଲେ, ସେମାନଙ୍କୁ ଜିଲା ମୁଖ୍ୟାଳୟ ତଥା ଅନ୍ୟାନ୍ୟ ସ୍ଥାନରୁ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡା ଯାଉଥିଲା । ସୁରୁଖୁରରେ ଅଧିବେଶନ ପରିଚାଳନା ହୋଇଥିବାରୁ ଦଳମତ ନିର୍ବିଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମସ୍ତେ ସାଧୁବାଦ୍ ଜଣାଇଥିଲେ ।

 

Leave a Reply