ରବି ଦିଶାଙ୍କୁ ଗିରଫ କରିବା ଉଚିତ୍‌ ନୁହେଁ, ଏହା ଗଣତନ୍ତ୍ର ଉପରେ ଆକ୍ରମଣ: ଅରବିନ୍ଦ କେଜ୍ରିଓ୍ୱାଲ

1 min read
Kejriwal

ନୂଆଦିଲ୍ଲୀ: ପରିବେଶବିତ୍ ଦିଶା ରବିଙ୍କ ଗିରଫକୁ ଗଣତନ୍ତ୍ର ଉପରେ ଅଦୃଶ୍ୟ ଆକ୍ରମଣ କହିଲେ କେଜ୍ରିଓ୍ୱାଲ । ଚାଷୀ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ସେୟାର ହୋଇଥିବା ଟୁଲ୍ କିଟ୍ ମାମଲାରେ ଦିଶା ରବିଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ୍ । ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଚାଷୀଙ୍କୁ ସମର୍ଥନ କରିବା ଅପରାଧ ନୁହେଁ ବୋଲି କେଜ୍ରିଓ୍ୱାଲ ଟୁଇଟ୍ କରିଛନ୍ତି ।

ସେପଟେ ଦିଶାଙ୍କୁ ରିଲିଜ୍‌ କରିବାକୁ ବାଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଛାତ୍ରଛାତ୍ରୀ । କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପି. ଚିଦାମ୍ବରମ ଓ ଜୟରାମ ରମେଶଙ୍କ ଭଳି ବହୁ ନେତା ଦିଶାଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି । ଚାଷୀ ଆନ୍ଦୋଳନକୁ ନେଇ ସ୍ୱିଡେନ୍‌ର ପରିବେଶବିତ୍ ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲ୍‌କିଟ୍ ମାମଲାରେ ଗିରଫ ହୋଇଛନ୍ତି ବେଙ୍ଗାଲୁରୁର ଦିଶା ।

ଚାଷୀ ଆନ୍ଦୋଳନ ସହ ଜଡ଼ିତ ଏହି ଟୁଲ‌କିଟ୍‌କୁ ଦିଶା ଏଡିଟ୍‌ କରି ପଠାଇଥିବା ଅଭିଯୋଗ ହୋଇଛି । ଗିରଫ ପରେ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛି ସ୍ପେଶାଲ ସେଲ୍ । ଦିଶା ବାଙ୍ଗାଲୁରୁର ଏକ ଘରୋଇ କଲେଜରେ MBA କରିଥିବା ବେଳେ ‘ଫ୍ରାଇଡେ ଫର୍‌ ଫ୍ୟୁଚର ଇଣ୍ଡିଆ’ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ଦିଶାଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କ ସହଯୋଗୀଙ୍କ ଉପରେ ନଜର ରଖିଛି ପୋଲିସ ।

ଦିଶାଙ୍କ ଘନିଷ୍ଠ ବନ୍ଧୁ ନିକିତା ଜେକବଙ୍କ ସମେତ ୨ ଜଣଙ୍କ ନାଁରେ ଜାମିନ ବିହୀନ ପରଓ୍ୱାନା (NBW) ଜାରି କରାଯାଇଥିବା ବେଳେ ସେ ଫେରାର ଥିବା ସୂଚନା ମିଳିଛି । ଗତ ୧୧ ତାରିଖରେ ସ୍ପେଶାଲ ସେଲ୍ ପୋଲିସ ନିକିତାଙ୍କ ଘରେ ପହଞ୍ଚି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଯାଞ୍ଚ କରିଥିଲା । ଏହାସହ କେତେକ କାଗଜପତ୍ରରେ ପୋଲିସ ତାଙ୍କ ଦସ୍ତଖତ ମଧ୍ୟ ରଖିଛି । ହେଲେ ଏହାପରଠୁ ସେ ଫେରାର ଥିବା ପୋଲିସ କହିଛି ।

Leave a Reply