ଆଜିଠୁ କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ, ଯୋଗଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

1 min read

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୀମା ସ୍ଥିତି ସମୀକ୍ଷା ପାଇଁ ଆଜିଠୁ ବସୁଛି ସେନାର କମାଣ୍ଡରସ୍ତରୀୟ ବୈଠକ । ଚାରି ଦିନ ଧରି ହେବାକୁ ଥିବା ଆଭ୍ୟନ୍ତରୀଣ ସୀମା ସ୍ଥିତି ସମୀକ୍ଷା ବୈଠକରେ ଯୋଗଦେବେ CDSଙ୍କ ସମେତ ତିନି ସେନା ମୁଖ୍ୟ । ଏହି ବୈଠକରେ ସେନାବାହିନୀର ବରିଷ୍ଠ ଅଧିକାରୀ, ଭାରତୀୟ ସେନାର ସମସ୍ତ କମାଣ୍ଡର, ଆର୍ମି ମୁଖ୍ୟାଳୟର ପ୍ରିନ୍ସିପାଲ୍ ଷ୍ଟାଫ୍ ଅଫିସର (PSO) ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେବେ।

ପୂର୍ବ ଲଦାଖରେ ଲାଗି ରହିଥିବା ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା ହେବ । ଏଥିସହ ଶୀତ ଦିନ ଆସୁଥିବାରୁ ଆଗାମି ଦିନରେ କଣ ରହିବ ରଣନୀତି ସେନେଇ ନିଷ୍ପତ୍ତି ନିଆଯାଇପାରେ । ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୮ ତାରିଖରେ, ବିଭିନ୍ନ ସେନା କମାଣ୍ଡରଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ବିଭିନ୍ନ ଏଜେଣ୍ଡା ନେଇ ମଧ୍ୟ ଆଲୋଚନା ହେବ ।

ଲଦାଖ ସମେତ ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଗତ କିଛି ଦିନ ଧରି ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ଦେଶ ପକ୍ଷରୁ ପ୍ରାୟ ୫୦ ହଜାର ସୈନ୍ୟ ମୁତୟନ କରାଯାଇଛି । ଚୀନକୁ ଉଚିତ୍ ଯବାବ ଦେବାକୁ ତୟାର ରହିଛନ୍ତି ଭାରତୀୟ ଯବାନ ।

Leave a Reply