ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ନିବେଶ କରିବ ଆର୍ସେଲର ମିତ୍ତଲ

1 min read
Arcelormittal to invest 2 thousand core in first phase in Odisha

ଭୁବନେଶ୍ୱର: ଓଡ଼ିଶାରେ ଆର୍ସେଲର ମିତ୍ତଲ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ନିବେଶ କରିବ । ଏନେଇ ଆଜି ଆର୍ସେଲର ମିତ୍ତଲ ଗ୍ରୁପ୍‌ ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ପାରାଦୀପରେ ପେଲେଟ୍‌ ପ୍ଲାଣ୍ଟ, କେନ୍ଦୁଝରରେ ବେନିଫିକେସନ ପ୍ଲାଣ୍ଟ ଓ ସାଗାସାହି ଓ ଠାକୁରାଣୀ ଖଣି ପରିଚାଳନା କରୁଛନ୍ତି ।

ପାରାଦୀପ ପେଲେଟ୍‌ ପ୍ଲାଣ୍ଟର କ୍ଷମତା ୧୨ ନିୟୁତ ଟନ୍‌କୁ ଓ ବେନିଫିକେସନ ପ୍ଲାଣ୍ଟ କ୍ଷମତା ୧୬ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ । ଏସବୁ ପ୍ରକଳ୍ପରେ ନିବେଶ ହେବ ୨ ହଜାର କୋଟି ଟଙ୍କା । ଆଲୋଚନା ଅବସରରେ ଓଡ଼ିଶାର ଖଣିଜ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ଵାରା ଅଧିକ ନିଯୁକ୍ତି ସୃଷ୍ଟି ହେବ ଓ ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ଏଥିପାଇଁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଲକ୍ଷ୍ମୀ ନିବାସ ମିତ୍ତଲ କହିଛନ୍ତି, ତାଙ୍କ କମ୍ପାନୀ ପକ୍ଷରୁ ନିଲାମ ନିଆଯାଇଥିବା ୨ଟି ଖଣି ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍‌ ଯେପରି ସ୍ୱଚ୍ଛତାର ସହ ସମ୍ପାଦିତ ହେଲା, ତାହା ବିଶ୍ୱସ୍ତରରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ଦକ୍ଷତାର ସହ କୋଭିଡ୍‌-୧୯ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିତ୍ତଲ ଧନ୍ୟବାଦ ଦେଇଥିଲେ । କୋଭିଡ ପ୍ରଭାବିତ ଶିଳ୍ପ ଜଗତକୁ ସହଯୋଗ ପାଇଁ ମିତ୍ତଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

Leave a Reply