ଘୁଞ୍ଚିଲା ବର୍ଷାଙ୍କ ଆବେଦନର ଶୁଣାଣି, ଅନୁଭବ କହିଲେ ଅପପ୍ରଚାର ପରିବାରର କରିପାରେ ବଡ଼ କ୍ଷତି

ଭୁବନେଶ୍ୱର: ପାରିବାରିକ କନ୍ଦଳକୁ ନେଇ କାଠଗଡ଼ାରେ ଓଲିଉଡ ସୁପରଷ୍ଟାର ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଗତ ଜୁଲାଇ ମାସରୁ ଅନୁଭବ ପଟିଆଲା କୋର୍ଟରେ ବିବାହ ବିଚ୍ଛେଦ ଆବେଦନ ଦାଏର କରିଥିଲେ । ସେପଟେ ବର୍ଷା ବି କଟକରେ ଦୁଇଟି ମାମଲା କରିଛନ୍ତି । ଗୋଟିଏ ଫ୍ୟାମିଲି କୋର୍ଟରେ ଏବଂ ଅନ୍ୟଟି ଏସଡିଜେଏମ କୋର୍ଟରେ ।

ଆଜି ଏସଡିଜେଏମ କୋର୍ଟରେ ଘରୋଇ ହିଂସା ମାମଲାର ଶୁଣାଣି ହୋଇଛି । ପ୍ରୋଟେକ୍ସନ ଅଫିସର କୋର୍ଟରେ ରିପୋର୍ଟ ଦାଖଲ କରିନଥିବାରୁ ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସେହିଭଳି ଫ୍ୟାମିଲି କୋର୍ଟରେ ବର୍ଷାଙ୍କ ଆବେଦନ ଉପରେ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ । ବର୍ଷାଙ୍କ ଅଭିଯୋଗ ଆଧାରରେ ପ୍ରୋଟେକ୍ସନ ଅଫିସର ଆଜି ଅନୁଭବଙ୍କୁ ପଚରାଉଚରା କରିଛନ୍ତି ।

ଏହି ବିବାଦରେ ଆଜି ମୁହଁ ଖୋଲିଛନ୍ତି ଅନୁଭବ । ବିବାଦ ଏବେ ନ୍ୟାୟାଳୟରେ । ବାପାଙ୍କ ଦେହ ମଧ୍ୟ ବହୁତ ଖରାପ । ଅପେକ୍ଷା କରନ୍ତୁ ନ୍ୟାୟାଳୟର ବିଚାରକୁ । ତାଙ୍କ ବିରୋଧରେ ଅପପ୍ରଚାର ତାଙ୍କ ପରିବାରର ବଡ଼ କ୍ଷତି କରିପାରେ । ଏଭଳି ଅପପ୍ରଚାରରୁ କ୍ଷାନ୍ତ ରହିବାକୁ ଅନୁରୋଧ କରିଛନ୍ତି ଅନୁଭବ ।

ଅନ୍ୟପଟେ ବର୍ଷା ଚାହୁଁଛନ୍ତି ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯାଉ । ଏହା କହିଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । କେବଳ ବର୍ଷା ନୁହଁନ୍ତି ଉଭୟଙ୍କ ଫ୍ୟାନ ମଧ୍ୟ ଚାହାଁନ୍ତି ଏହି ପାରିବାରିକ କନ୍ଦଳର ଆପୋଷ ସମାଧାନ ହୋଇଯାଉ ।

Leave a Reply