ମେହୁଲ ଚୋକ୍‌ସୀଙ୍କ ଆଣ୍ଟିଗୁଆ ଓ ବାରବୁଡା ନାଗରିକତ୍ବ ରଦ୍ଦ! ଓକିଲ କହିଲେ ଏବେବି ଅଛି ନାଗରିକତା

1 min read

ନୂଆଦିଲ୍ଲୀ: ବଢ଼ିଲା ମେହୁଲ ଚୋକ୍‌ସୀଙ୍କ ଅଡୁଆ । ସିଆଇପି ମାଧ୍ୟମରେ ଚୋକ୍‌ସୀଙ୍କୁ ମିଳିଥିବା ବାରବୁଡ଼ା ଓ ଆଣ୍ଟିଗୁଆ ନାଗରିକତାକୁ ନେଇ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। କେରେବିଆନ ରାଷ୍ଟ୍ରରେ ଇନଭେଷ୍ଟମେଣ୍ଟ ପ୍ରୋଗ୍ରାମ ଜରିଆରେ ମେହୁଲଙ୍କୁ ମିଳିଥିବା ନାଗରିକତ୍ବ ରଦ୍ଦ ହୋଇଥିବା ନେଇ ଖବର ଆସୁଛି । ତେବେ ସେ ସରକାରଙ୍କ ନିଷ୍ପତ୍ତିକୁ କୋର୍ଟରେ ଚାଲେଞ୍ଜ କରିଥିବା କହିଛନ୍ତି ତାଙ୍କର ଘନିଷ୍ଠ ବ୍ୟକ୍ତିବିଶେଷ ।

ଅନ୍ୟପଟେ ଚୋକ୍‌ସୀଙ୍କ ନାଗରିକତା ରଦ୍ଦ ହୋଇନି ବୋଲି କହିଛନ୍ତି ତାଙ୍କ ଓକିଲ ବିଜୟ ଅଗ୍ରଓ୍ବାଲ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ମେହୁଲ ଚୋକ୍‌ସୀଙ୍କ ଓ ତାଙ୍କ ଭଣଜା ହୀରା ବ୍ୟବସାୟୀ ନିରବ ମୋଦି ସାମିଲ ଥିଲେ। ଏହି ଘୋଟାଲାରେ PNBରୁ ପ୍ରାୟ ୧୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ କରି ଉଭୟେ ଭାରତ ଛାଡ଼ି ଫେରାର ହୋଇଯାଇଥିଲେ । ଏହାପରେ ନାଗରିକତା ବିବାଦକୁ ନେଇ ଚୋକ୍‌ସୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କ ପିଟିସନର ଶୁଣାଣି ଆରମ୍ଭ ହୋଇଥିଲେ ବି ଆସନ୍ତା ୨୦୨୭ ଯାଏଁ କୋର୍ଟରେ ମାମଲା ଚାଲିବ ବୋଲି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ୨୦୨୭ ପୂର୍ବରୁ ଚୋକ୍‌ସୀ ଭାରତ ଫେରିବା ଏକ ପ୍ରକାର ଅସମ୍ଭବ ହୋଇଛି ।

ନିକଟ ଅତୀତରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି)ର ଦୁଇ ଅଧିକାରୀ କହିଥିଲେ ଯେ ଗତ ବର୍ଷ ଠାରୁ ମେହୁଲଙ୍କ ନାଗରିକତ୍ୱ ରଦ୍ଦ କରାଯାଇଛି । ହେଲେ ପଳାତକ ବ୍ୟବସାୟୀ ମେହୁଲ ଆଣ୍ଟିଗୁଆ ସିଭିଲ୍ କୋର୍ଟରେ ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଲଢେଇ କରୁଛନ୍ତି ।

ନିକଟରେ ୟୁକେ କୋର୍ଟରେ ପଳାତକ ନିରବ ମୋଦିଙ୍କୁ ବଡ଼ ଝଟକା ଲାଗିଥିଲା । ଭାରତ ସରକାରଙ୍କ ପ୍ରତ୍ୟାର୍ପଣ ଆବେଦନକୁ ୟୁକେ କୋର୍ଟ ଗ୍ରୀନ୍‌ ସିଗନାଲ ଦେଇଥିଲେ । ଯାହାପରେ ନିରବ ଭାରତ ଅଣାଯିବା ରାସ୍ତା ଫିଟିଛି ।

Leave a Reply