ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଚିକିତ୍ସା, ଦିନକରେ ୧୦୪ ସୁସ୍ଥ

1 min read

ଭୁବନେଶ୍ୱର: ସଂକ୍ରମଣକୁ ମାତ୍ ଦେଇ ଚାଲିଛି ଓଡ଼ିଶା । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୯୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇଛନ୍ତି । ଆଜି ଆଉ ୨୫୧୯ ଜଣ ଆରୋଗ୍ୟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ, ବଡ଼ କଥା ହେଉଛି କରୋନା ଯୁଦ୍ଧରେ ଗୁରୁତର ରୋଗୀଙ୍କ ପାଇଁ ସଞ୍ଜିବନୀ ସାଜିଛି ପ୍ଲାଜମା ଥେରାପି । ଗୁରୁତର କରୋନା ପୀଡ଼ିତ ପ୍ଲାଜମା ଚିକିତ୍ସା ଦ୍ୱାରା ସୁସ୍ଥ ହେଉଛନ୍ତି ।

ଆଜି ଗୋଟିଏ ଦିନରେ ପ୍ଲାଜମା ନେଇଥିବା ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥିପାଇଁ ପ୍ଲାଜମା ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମ୍ ଓ ପ୍ଲାଜମା ଦାତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଧନ୍ୟବାଦ ଦେଇଛି । ସୂଚନା ଯୋଗ୍ୟ ଯେ, ଏଯାବତ୍ ରାଜ୍ୟର ୬ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି ।

ଏଥିସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୧୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୧୬, ପୁରୀରୁ ୨୧୦, ରାୟଗଡ଼ା ୨୦୫, କୋରାପୁଟ ୧୬୯, ମୟୂରଭଞ୍ଜ ୧୫୦, କଟକ ୧୨୯, ବାଲେଶ୍ୱର ୧୦୦, ନୟାଗଡ଼ ୯୫, ସମ୍ବଲପୁର ୮୫, ମାଲକାନଗିରି ୮୪, ଭଦ୍ରକ ୭୭, ଢେଙ୍କାନାଳ ୭୬, ନବରଙ୍ଗପୁର ୫୮, କନ୍ଧମାଳ ୪୮, ବଲାଙ୍ଗିର ୪୫, ସୁନ୍ଦରଗଡ଼ ୪୨, ଗଜପତି ୪୦, କେନ୍ଦ୍ରାପଡ଼ା ୩୯, ଝାରସୁଗୁଡ଼ା ଓ କେନ୍ଦୁଝରରୁ ୩୮ ଜଣ ଲେଖାଏଁ, ସୋନପୁର ୩୩, ନୂଆପଡ଼ା ୨୮, ଜଗତସିଂହପୁର ୨୭, ବରଗଡ଼ ୨୫, କଳାହାଣ୍ଡି ୧୯, ଯାଜପୁର ୧୨, ଦେବଗଡ଼ ୭, ବୌଦ୍ଧ ୪ ଓ ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ।

କିଛିଦିନ ତଳେ କରୋନା ସଂକ୍ରମିତ ହୋଇଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ସେ ସୁସ୍ଥ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି । ସୁସ୍ଥ ହେବା ପରେ ସେ ନିଜ କର୍ମକ୍ଷେତ୍ରକୁ ଫେରିଥିବା ସୂଚନା ଦେଇଛନ୍ତି ।

Leave a Reply