ଓଡ଼ିଶା ସୀମାନ୍ତରେ ଆନ୍ଧ୍ରର ଦାଦାଗିରି, ସହଯୋଗ ନାଁରେ ଅଞ୍ଚଳ ହାତେଇବାକୁ ଚକ୍ରାନ୍ତ

Andhra Pradesh Conspiracy For Acquired Border Area Of Odisha

ଗଜପତି/ରାୟଗଡ଼ା: ଆନ୍ଧ୍ରର ସୀମା ଷଡ଼ଯନ୍ତ୍ର । କୋଟିଆ ପାଇଁ ସୁପ୍ରିମ୍‌କୋର୍ଟରେ ଆଇନଗତ ଲଢ଼େଇ ଚାଲିଛି । ଏପଟେ କୋଟିଆ ଗଜପତି ଓ ରାୟଗଡ଼ା ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆଖି ପକାଇଲାଣି ପଡ଼ୋଶୀ ରାଜ୍ୟ । ଗଜପତି ଜିଲ୍ଲା ସିଙ୍ଗିପୁରରେ ଓଡ଼ିଶା ସୀମା ଭିତରେ ପଶି ଜବରଦସ୍ତ ରାସ୍ତା ତିଆରି କରୁଛି । ପୁଣି ରାୟଗଡ଼ା ସୀମାରେ ବି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ । ସାନଲୁକୁଟି ଗାଁରେ ରାସ୍ତା ଓ ପୋଲ ନିର୍ମାଣ ଉଦ୍ୟମ କରିଥିଲା ଆନ୍ଧ୍ର । ତେବେ ଏହି ଚାଲ୍ ଉପ‌ରେ ପୂର୍ଣ୍ଣଚ୍ଛେଦ ଲଗାଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ।

Andhra Pradesh Conspiracy For Acquired Border Area Of Odisha

ସୀମା ଲଂଘୁଛି ଆନ୍ଧ୍ର । ଓଡ଼ିଶା ଉପରେ ଆନ୍ଧ୍ରର ଆଖି । ବିସ୍ତାରବାଦୀ ଆନ୍ଧ୍ରର ଅନୁପ୍ରବେଶ ପ୍ଲାନ୍ । କୋଟିଆ ବିବାଦ ତୁଟି ନଥିବା ବେଳେ ଗଜପତି, ରାୟଗଡ଼ା ଉପରେ ନଜର ପକାଇଛି ଆନ୍ଧ୍ର । ରାସ୍ତା, ପୋଲକୁ ଅସ୍ତ୍ର କରି ଜବରଦଖଲ ଉଦ୍ୟମ କରିଛି । ପଡ଼ୋଶୀ ରାଜ୍ୟର ବିସ୍ତାରବାଦୀ ପ୍ଲାନ୍‌ରେ ଲାଗୁନି ବ୍ରେକ୍ । ସୀମାନ୍ତ ଗଙ୍ଗାବାଡ଼ରେ ନିର୍ବାଚନ କରାଇବାରେ ଫେଲ୍ ମାରିବା ପରେ କାଶୀନଗର ସିଙ୍ଗିପୁର ଏଫସିଆଇ ଗୋଦାମ ଅଞ୍ଚଳ ଉପରେ ଆଖି ପକାଇଛି ଆନ୍ଧ୍ର । ଓଡ଼ିଶା ସୀମାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଛି । ଆନ୍ଧ୍ର ପ୍ରଦେଶର ଆଳତି ପଞ୍ଚାୟତକୁ ଓଡ଼ିଶା ସୀମା ମଧ୍ୟରେ ୫ କିଲୋମିଟର ରାସ୍ତା ନିର୍ମାଣ କରୁଛନ୍ତି ଆନ୍ଧ୍ର ସରକାର । ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ନିର୍ମାଣ କାମରେ ନିୟୋଜିତ ଗାଡ଼ି ଓ ସାମଗ୍ରୀ ଜବତ କରାଯାଇଛି ।

Andhra Pradesh Conspiracy For Acquired Border Area Of Odisha

ରାସ୍ତା ନିର୍ମାଣ ନାଁରେ ଜୋରଜବରଦସ୍ତ କବ୍‌ଜା ଜମାଇବାକୁ କାରସାଦି । ନା ଆଲୋଚନା ନା ସୂଚନା, ସବୁ ସୀମା ଡେଇଁ ରାସ୍ତା ନିର୍ମାଣ ଆରମ୍ଭ କରିଛି ଆନ୍ଧ୍ର । ସାହାଯ୍ୟ ସହଯୋଗ ନାଁରେ ଅଞ୍ଚଳ ହାତେଇବାକୁ ଚାଲିଛି ଚକ୍ରାନ୍ତ । କେବଳ ଗଜପତି ନୁହେଁ, ରାୟଗଡ଼ା ସୀମାରେ ବି ଆନ୍ଧ୍ରର ଲୋଲୁପ ଆଖି ପଡ଼ିଛି । ଓଡ଼ିଶା ଭିତରକୁ ୫ ଶହ ମିଟର ପଶି ସାନଲୁକୁଟି ଗାଁ ବାସିକାଡ଼ା ନାଳରେ ଆନ୍ଧ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ୮୧ ମିଟରର ପୋଲ ଓ ପ୍ରାୟ ୧ କିମି ରାସ୍ତା ନିର୍ମାଣ କରୁଛି । ଗତ ଜାନୁଆରୀ ମାସରୁ କାମ ଆରମ୍ଭ ହୋଇଛି । ତେବେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଫେଲ୍ ମାରିଛି ପଡ଼ୋଶୀ ରାଜ୍ୟର ଚାଲ୍ । ରାୟଗଡ଼ା ତହସିଲଦାର, ବିଡିଓ ସୀମାନ୍ତ ଅଞ୍ଚଳରେ ଅନୁଧ୍ୟାନ କରିଛନ୍ତି । ସେପଟେ ସାନଲୁକୁଟିରୁ ଆନ୍ଧ୍ରକୁ ଯୋଗାଯୋଗ ପାଇଁ ସିମେଣ୍ଟ ରାସ୍ତା ତିଆରି କରାଯାଉଛି ।

Andhra Pradesh Conspiracy For Acquired Border Area Of Odisha

ଓଡ଼ିଶା ଭିତରକୁ ଜୋର ଜବରଦସ୍ତ ପଶିବା ପାଇଁ ଆନ୍ଧ୍ରର ଚକ୍ରାନ୍ତ । ରାସ୍ତା, ପୋଲ ନିର୍ମାଣ ନାଁରେ ସୀମାବର୍ତ୍ତୀ ଅଞ୍ଚଳ ଅକ୍ତିଆର କରିବାକୁ ଯୋଜନା କରୁଛି ପଡ଼ୋଶୀ ରାଜ୍ୟ । ପ୍ରଶ୍ନ ଉଠୁଛି ଆଇନକୁ ପାଦରେ ଆଡ଼େଇ, କେମିତି ସୀମା ଲଂଘୁଛି ଆନ୍ଧ୍ର ? କେବେ ବିକାଶର ଥୋପ ତ କେବେ ଶିକ୍ଷା ନାଁରେ ଅନୁପ୍ରବେଶ ପ୍ଲାନ୍ ? ବିସ୍ତାରବାଦୀ ଆନ୍ଧ୍ରର ସୀମା ଷଡ଼ଯନ୍ତ୍ରରେ କେବେ ଲାଗିବ ବ୍ରେକ୍ ?

Leave a Reply