ଆନ୍ଧ୍ରରେ ଅନ୍ଧ ବିଶ୍ୱାସ, ସତ୍ୟ ଯୁଗ ଫେରିବା ଆଶାରେ ଦୁଇ ଝିଅଙ୍କୁ ହତ୍ୟା କଲେ ବାପା-ମାଆ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଅନ୍ଧ ବିଶ୍ବାସର ଜଘନ୍ୟକାଣ୍ଡ । ଫେରିବ ସତ୍ୟ ଯୁଗ । ଉଦୟ ହେବ ସତ୍ୟ ଯୁଗର ସୂର୍ଯ୍ୟ । ଅନ୍ଧ ବିଶ୍ବାସରେ ୨ ଝିଅକୁ ନିର୍ମମ ଭାବେ ହତ୍ୟାକଲେ ଜନ୍ମ କଲା ବାପାମାଆ । ଆନ୍ଧ୍ରପ୍ରେଦେଶ ଚିତୁର ଜିଲ୍ଲା ମଦନାପଲ୍ଲେରେ ଗତକାଲି ରାତିରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ଏକ ମାରଣାସ୍ତ୍ରରେ ନିଜର ୨ଝିଅ, ଆଲେଖ୍ୟା ଓ ସାଇବିଦ୍ୟାଙ୍କୁ ହତ୍ୟା କରିଛନ୍ତି ଶିକ୍ଷିତ ଦମ୍ପତି । ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜନ୍ମକଲା ପିଶାଚଙ୍କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ହତ୍ୟାକାରୀ ଦମ୍ପତ୍ତି ହତ୍ୟାକାଣ୍ଡର ଯେଉଁ କାରଣ କହିଛନ୍ତି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ । ସେମାନଙ୍କ କହିବା ଅନୁସାରେ ସୂର୍ଯ୍ୟୋଦୟ ପରେ ତାଙ୍କ ଝିଅମାନେ ପୁନର୍ବାର ଜୀବିତ ହୋଇଉଠିବେ । ସୋମବାର ବା ଆଜିଠୁ ସତ୍ୟ ଯୁଗ ଆରମ୍ଭ ହେଉଛି । ତେଣୁ କଳିଯୁଗରେ ତାଙ୍କ ଝିଅମାନଙ୍କୁ ସେ ହତ୍ୟା କରିଦେଇଛନ୍ତି । ଏବଂ ସୂର୍ଯ୍ୟୋଦୟ ପରେ ସତ୍ୟ ଯୁଗରେ ସେମାନେ ପୁଣି ଜୀବିତ ହୋଇଉଠିବେ । ବଡ କଥା ହେଲା ହତ୍ୟାକାରୀ ବାପା ପୁରୁଷୋତ୍ତମ ନାଇଡୁ ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି । ମାଆ ପଦ୍ମଜା ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ।

ଉଭୟ ଶିକ୍ଷିତ ହୋଇଥିବା ବେଳେ ଏଭଳି ଅନ୍ଧବିଶ୍ବାସର ବଶବର୍ତ୍ତି ହୋଇ ହତ୍ୟାକାଣ୍ଡ ଘଟାଇବା ବଡ ପ୍ରଶ୍ନ ସୃଷ୍ଟି କରିଛି । ପୋଲିସର ସୂଚନା ମୁତାବକ ବଡ ଝିଅ ଆଲେଖ୍ୟା ଭୋପାଳରେ ମାଷ୍ଟର ଡିଗ୍ରୀ ଶେଷ କରିଥିବା ବେଳେ, ସାନ ଝିଅ ସାଇ ଦିବ୍ୟା ବିବିଏରେ ସ୍ନାତକ କରିଥିଲେ । ଦିବ୍ୟା ମୁମ୍ବାଇର ଏଆର୍ ରହମାନ ମ୍ୟୁଜିକ୍ ସ୍କୁଲର ଛାତ୍ରୀ ମଧ୍ୟ ଥିଲେ । ଉଭୟ ଲକଡାଉନରେ ଘରକୁ ଫେରିଥିଲେ । କିନ୍ତୁ ଉଭୟ ହତ୍ୟାକାରୀ ବାପାମାଆ ଗତକାଲି ରାତିରେ ସେମାନଙ୍କ ସହ ଅଜବ ବ୍ୟବହାର କରିଥିଲେ ।

ପରେ ତାଙ୍କ ଘରୁ ଅଜବ ଶବ୍ଦ ଓ କାନ୍ଦ ଶୁଣିବା ପରେ ପଡୋଶୀ ପୋଲିସକୁ ଏବିଷୟରେ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ଦମ୍ପତ୍ତି ବିରୋଧ କରିଥିଲେ । ପରେ ପୋଲିସ୍ ବଳପୂର୍ବକ ଘର ଭିତରକୁ ପଶି ହତ୍ୟାକାଣ୍ଡ ଘଟିଥିବା ଜାଣିବାକୁ ପାଇଥିଲା । ପୂଜା ଘରୁ ଜଣେ ଝିଅର ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଉ ଏକ କୋଠରୀରେ ଅନ୍ୟ ଜଣେ ଝିଅର ମୃତଦେହ ଉଦ୍ଧାର କରିଥିଲା ପୋଲିସ।

Leave a Reply