ଜେସିବିରେ ବୁହା ହେଲା କରୋନା ସଂକ୍ରମିତଙ୍କ ଶବ, ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ: କରୋନା ପାଇଁ ଏବେ ସାରା ଦେଶ ଭୟରେ ବଞ୍ଚୁଛି । ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏବେ ଦେଶରେ ୫ ଲକ୍ଷ ଟପିଲାଣି କରୋନା ସଂକ୍ରମଣ । ତେବେ କରୋନାକୁ ନେଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ମାନବ ସମାଜକୁ ଲ୍ଲଜିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି । କରୋନା ସଂକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ପରେ  ସେମାନଙ୍କ ଶବ ପ୍ରତି ଅପମାନଜନକ ବ୍ୟବହାର କରାଯାଇଛି । ଦୁଇଜଣଙ୍କର ମୃତ ଦେହକୁ ଏକ ଜେସିବି ସାହାଯ୍ୟରେ ଶ୍ମଶାନକୁ ନିଆଯାଉଛି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ପରେ ଏଭଳି କାର୍ଯ୍ୟକୁ ନେଇ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସୂଚନା ଅନୁଯାୟୀ, କରୋନା ପୀଡିତଙ୍କ ମୃତ୍ୟୁ ପରେ ପଡୋଶୀମାନେ ଆମ୍ବୁଲାନ୍ସକୁ ଅପେକ୍ଷା କରିନଥିଲେ । କାଳେ ଉକ୍ତ ସ୍ଥାନରେ ଅଧିକ ସଂକ୍ରମଣ ବ୍ୟାପିବ ସେଥିପାଇଁ ଜଲଦି ମୃତଦେହ ନେବାକୁ ସ୍ଥାନୀୟ ଲୋକେ ବାଧ୍ୟ କରିଥିଲେ । ଏହା ପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ଏହି ପଦକ୍ଷେପ ନେବାକୁ ପଡିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍‌ ଜଗନମୋହନ ରେଡ୍ଡୀ । ଏଭଳି କାର୍ଯ୍ୟ ପାଇଁ ଦାୟୀ ଥିବା ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍‌ ଜଗନମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏହା କେବଳ ନିନ୍ଦନୀୟ ନୁହେଁ ବରଂ ଅମାନୁଷିକ ଏବଂ କରୋନା ନିୟମର ଖୋଲାଖୋଲି ଉଲ୍ଲଂଘନ । ତେବେ ଦାୟିତ୍ୱରେ ଅଧିକାରୀଙ୍କ ବିରୋଧରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଭଳି କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି ମୁଖ୍ୟ ଏବଂ ଅନ୍ୟ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ଟ୍ୱିଟର ମାଧ୍ୟମରେ ଓ୍ୱାଇ.ଏସ୍‌ ଜଗନମୋହନ ରେଡ୍ଡୀ କହିଛନ୍ତି, “ମାନବିକତା ଦେଖାଇବାର ସମୟ ଆସିଛି, କିନ୍ତୁ କରାଯାଇଥିବା କାର୍ଯ୍ୟ ମନକୁ ଆଘାତ ଦେଇଛି । ଏଭଳି ଘଟଣା ଅନ୍ୟତ୍ର ପୁନରାବୃତ୍ତି କରାଯିବା ଉଚିତ ନୁହେଁ । ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। । “

Leave a Reply