କର୍ପୋରେଟ ଜଗତର ସଫଳ କର୍ମକାର ଡ. ସଂତୃପ୍ତ ମିଶ୍ର

1 min read

ଭୁବନେଶ୍ବର : କେବେ ଦେଶର ଟପ୍-୨୦ ୟଙ୍ଗ ଏକଜିକ୍ୟୁଟିଭ୍ ତାଲିକାରେ ତ କେତେବେଳେ ମ୍ୟାନ୍ ଅଫ ଦି ଇୟର…କେବେ ବିଜିନେସ୍ ଲିଡର ଆଓ୍ବାର୍ଡ ତ କେବେ ପୁଣି ମୋଷ୍ଟ ସକସେସଫୁଲ ବିଜିନେସ୍ ମ୍ୟାନେଜର… ଭାରତୀୟ କର୍ପୋରେଟ ଜଗତର ସଫଳ କର୍ମକାର । ମର୍ଯ୍ୟଦାଜନକ ଆଦିତ୍ୟ ବିର୍ଲା ଗ୍ରୁପର ଆଖିଦୃଶିଆ ସଫଳତା ପଛର କି’ ପର୍ସନ୍  । ଉଦାରୀକରଣ ଅର୍ଥନୀତି ଓ ଉଦ୍ୟୋଗ ଜଗତର ଏହି ସୁଦକ୍ଷ ବିଜିନେସ୍ ଲିଡର  ହେଲେ ଡ. ସଂତୃପ୍ତ ମିଶ୍ର । ସୀମିତ ସମୟରେ ସଫଳତାର ଏତେ ସୋପାନ ଆରୋହଣ କରିଛନ୍ତି ଯେ ସ୍ବପ୍ନ ଦେଖୁଥିବା ଅଧିକାଂଶ ଯୁବ ପିଢି ପାଇଁ ସେ ହେଉଛନ୍ତି ଜଣେ ଇର୍ଷଣୀୟ ବ୍ୟକ୍ତିତ୍ବ । ଟାଟା ଗ୍ରୁପ୍, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଏହି ଓଡ଼ିଆ ଉଦ୍ୟୋଗୀ ଏବେ ଆଦିତ୍ୟ ବିର୍ଲା ଗ୍ରୁପ (ଯାହାର ୧ ଲକ୍ଷରୁ ଅଧିକ କର୍ମଚାରୀ ଓ ୨୮ ବିଲିୟନ ଡଲାର ଟର୍ଣ୍ଣ ଓଭର) ର ଏବେ ପାଞ୍ଚ ପାଞ୍ଚଟି ଅତି ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି । ତାଙ୍କ ନେତୃତ୍ବରେ ବିର୍ଲା କାର୍ବନ ଗ୍ଲୋବାଲ ଲିଡର ଭାବେ ଉଭା ହୋଇଥିବା ବେଳେ ତମାମ ଆଦିତ୍ୟ ବିର୍ଲା ଗ୍ରୁପର ବ୍ୟବସାୟିକ ଗ୍ରାଫ୍ ଅତ୍ୟନ୍ତ ଉତ୍ସାହଜନକ ରହିଛି ।

ହାଇ ପ୍ରୋଫାଇଲ କର୍ପୋରେଟ ପ୍ରେସରରେ ଯେଉଁ ଉଚ୍ଚ ଅଭିଳାଷୀ ସନ୍ତୁଳି ହେଉଛନ୍ତି, ସେମାନଙ୍କ ପାଇଁ ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଡ. ସଂତୃପ୍ତ ମିଶ୍ର । ଆଦିତ୍ୟ ବିର୍ଲା ଗ୍ରୁପର ଏକାସଙ୍ଗରେ ପାଞ୍ଚପାଞ୍ଚଟି ଗୁରୁ ଦାୟିତ୍ବ ନିର୍ବାହ କରୁଛନ୍ତି ସେ। ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିଭାଗ ମୁଖ୍ୟ ସହିତ ବିର୍ଲା କାର୍ବନ୍- କୋ’ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), ଆଦିତ୍ୟବିର୍ଲା ମ୍ୟାନେଜମେଣ୍ଟ କର୍ପୋରେସନ୍ ଲିମିଟେଡର ନିର୍ଦ୍ଦେଶକ ଏବଂ ତା ସାଙ୍ଗକୁ କେମିକାଲ ଫର୍ଟିଲାଇଜର ଆଣ୍ଡ ଇନସୁଲେଟରର ମଧ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଏଥିସହିତ ଅଲଟ୍ରାଟେକ୍ ସିମେଣ୍ଟ କମ୍ପାନୀ ଓ ଆଦିତ୍ୟ ବିର୍ଲା ସାଇନ୍ସ ଏଣ୍ଟ ଟେକ୍ଲୋଲୋଜି ଗ୍ରୁପର ମଧ୍ୟ  ନିର୍ଦ୍ଦେଶକ ଅଛନ୍ତି । ୧୯୯୬ରେ ଆଦିତ୍ୟ ବିର୍ଲା ଗ୍ରୁପରେ ଯୋଗଦେଇଥିଲେ ସଂତୃପ୍ତ ମିଶ୍ର । ତାଙ୍କ ସ୍ବତନ୍ତ୍ର ପରିଚାଳନାଗତ ଦକ୍ଷତା ଯୋଗୁଁ କମ୍ପାନୀରେ ମାନବସମ୍ବଳ ପରିଚାଳନା କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଥିଲା  । କେବଳ ସେତିକି ନୁହେଁ, ‘’କର୍ମଚାରୀଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ କଂପାନୀର ଟପ୍ ବ୍ରାଣ୍ଡ ପଲିସି ’ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଯେଉଁ କାରଣରୁ ପରେ ବେଷ୍ଟ ଏମ୍ପ୍ଲୟର ଅଫ ଇଣ୍ଡିଆ ଭାବେ କଂପାନୀ ପୁରସ୍କୃତ ହୋଇଥିଲା ।

ବିଚକ୍ଷଣ ବିଜିନେସ୍ ଅପରେସନ୍, ଷ୍ଟ୍ରାଟେଜି, ଭିଜନ୍, ମ୍ୟାନେଜମେଣ୍ଟ ଓ ଚେଞ୍ଜ୍ ଅପରେସନ୍ ପାଇଁ ଜଣାଶୁଣା ସଂତୃପ୍ତ ମିଶ୍ର ଗତ ତିନି ଦଶନ୍ଧି ଧରି ଦେଶର ବହୁ ପ୍ରତିଷ୍ଠିତ କମ୍ପାନୀର ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଆସୁଛନ୍ତି । ଓଏନଜିସିର ଇଣ୍ଡିପେନଡେଣ୍ଟ ନିର୍ଦ୍ଦେଶକ, ବୋର୍ଡ ଅଫ୍ ଗଭର୍ଣ୍ଣସ ଅଫ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଅଧ୍ୟକ୍ଷ ରହିଛନ୍ତି । ଏତଦ୍ ବ୍ୟତୀତ ଆମେରିକାର ନାସନାଲ ଏକାଡେମୀ ଅଫ୍ ହ୍ୟୁମାନ ରିସୋର୍ସ (ଏସଏଚଆରଏମ୍), ଆଷ୍ଟନ ବିଜିନେସ୍ ସ୍କୁଲ ଆଡଭାଇଜରି (ଇଂଲଣ୍ଡ), ଆଗା ଖାନ୍ ଫାଉଣ୍ଡେସନ ହସପିଟାସ, ଆଲି ଖାନ୍ ହସପିଟାଲ, ବୋର୍ଡ ଅଫ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ବର  ଆଦିର ମ୍ୟାନେଜିଂ କମିଟିରେ ରହି ସେମାନଙ୍କ ସଫଳତାରେ ବଡ଼ ଭୂମିକା ତୁଲାଇଛନ୍ତି । ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ନାସନାଲ ଏଚଆରଡି ନେଟଓ୍ବର୍କର ସଭାପତି ମଧ୍ୟ ରହିଛନ୍ତି । ଏହାଛଡ଼ା ଭାରତର ପ୍ରାୟ ୪୦ରୁ ଅଧିକ ସଂସ୍ଥାର ଟ୍ରେନର ଓ ପରାମର୍ଶଦାତା ରହିଆସିଛନ୍ତି ।

ସଂତୃପ୍ତ ମିଶ୍ର ଉଭୟ ଭାରତ ଓ ଇଂଲଣ୍ଡରେ ରାଜନୀତି ବିଜ୍ଞାନ ଏବଂ ପର୍ସୋନେଲ ମ୍ୟାନେଜମେଣ୍ଟ ଅଫ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଜି କରିଛନ୍ତି । ସେହିପରି ଭାରତରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଓ ଇଂଲଣ୍ଡରେ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଏଚଡି କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟରରୁ ଶିକ୍ଷା ସଂପୂର୍ଣ୍ଣ ପରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ଶିକ୍ଷା ସମାପ୍ତ କରିଥିଲେ । ପରେ ଆଷ୍ଟନ୍ ବିଜିନେସ୍ ସ୍କୁଲରେ ନାମ ଲେଖାଇଥିଲେ  ଓ ଆଷ୍ଟନ୍ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ଯେତେବେଳେ ଯେଉଁ ବିଶ୍ବବିଦ୍ୟାଳୟରେ ପଢିଛନ୍ତି, ସବୁଠି ଫାଷ୍ଟ କ୍ଲାସ୍ ଫାଷ୍ଟ ହୋଇଛନ୍ତି । ଛାତ୍ର ଜୀବନରେ ୪ ଥର ଗୋଲଡ ମେଡାଲ ପାଇଛନ୍ତି । ଆଷ୍ଟନ୍ ବିଶ୍ବବିଦ୍ୟାଳୟ (ଇଂଲଣ୍ଡ) ତାଙ୍କୁ ସମ୍ମାନସୂଚକ ଡିଏସସି ଉପାଧି ପ୍ରଦାନ କରିଛି ।

ନିଜ ଅସାଧାରଣ କାର୍ଯ୍ୟଦକ୍ଷତା ପାଇଁ ସଂତୃପ୍ତ ମିଶ୍ର ବହୁ ଜାତୀୟ ଓ ଅନ୍ତର୍ଜୀତାୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ୨୦୦୦ରେ ନାସନାଲ ଏଚଆରଡି ନେଟଓ୍ବର୍କ ପକ୍ଷରୁ ଚିଫ୍ ଏଚଆର ଆଓ୍ବାର୍ଡ, ୨୦୦୨ରେ ଏଚଆରଡି କଂଗ୍ରେସ ଆଓ୍ବାର୍ଡ, ୨୦୦୪ରେ ଏଚଆର ପ୍ରଫେସନାଲ ଅଫ୍ ଦ ଇଅର ଆଓ୍ବାର୍ଡ , ବିଜିନେସ୍ ଟୁ ଡେ ପକ୍ଷରୁ ୨୦୦୨ରେ ଦେଶର ଟପ୍-୨୦ ୟଙ୍ଗ ଏକଜିକ୍ୟୁଟିଭ୍ ଆଓ୍ବାର୍ଡ ଆଦି ବଡ଼ ସମ୍ମାନ ସହିତ ଅନ୍ୟ ପ୍ରତିଷ୍ଠାନ ଓ ବିଜିନେସ୍ ମାଗଜିନ୍ ପକ୍ଷରୁ ବହୁ ସମ୍ମାନ ଓ ସ୍ବୀକୃତି ପାଇଛନ୍ତି । କର୍ପୋରେଟ ଜଗତରେ ସଂତୃପ୍ତ ମିଶ୍ରଙ୍କ ସଫଳତା ଯାହା, ଯେ କୌଣସି ଓଡ଼ିଆ ତାଙ୍କୁ ନେଇ ନିଶ୍ଚୟ ଗର୍ବ କରିବ । ')}

Leave a Reply