ନବୀନ ନିବାସରେ ଓଡ଼ିଆ ଖାଦ୍ୟ ଖାଇଲେ ଅମିତ ଶାହା, ଥାଳିରେ ଥିଲା ୧୦ରୁ ଅଧିକ ବ୍ୟଞ୍ଜନ

ଭୁବନେଶ୍ୱର : ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବହୁ ସୁଆଦିଆ ଓଡ଼ିଆ ଖାଦ୍ୟ ଖାଇଛନ୍ତି । ଗୋଟିଏ ଟେବୁଲ୍‌ରେ ଏକାଠି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାଞ୍ଚଳ ପରିଷଦ ବୈଠକ ପରେ ଅମିତ ଶାହଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସ ଆସିଥିଲେ । ଅତିଥିଙ୍କ ପାଇଁ ଖାସ୍‌ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।କଂସା ଥାଳି ଓ ପାତ୍ରରେ ଶାହଙ୍କୁ ପରଷା ଯାଇଥିଲା ଓଡ଼ିଆ ଖାଦ୍ୟ । ଏଥିରେ ଥିଲା ଅଳ୍ପ ଅରୁଆ ଭାତ, ରୁଟି, ଡାଲି, ବାଇଗଣ ଭଜା, ଓଡ଼ିଆ ଆଳୁ ମଟର ମସଲା, ପନିର ତରକାରୀ, ଟମାଟୋ ଚଟଣି, ପାମ୍ପଡ, ବୁନ୍ଦି ରାଇତା । ଓଡ଼ିଆ ଘରେ ପ୍ରସ୍ତୁତ ମାଛ ତରକାରୀ ମଧ୍ୟ ସାମିଲ ଥିଲା ମଧ୍ୟାହ୍ନ ଭୋଜନରେ । ମିଠାରେ ଛେନାପୋଡ ଓ ରସମଲାଇ ରଖାଯାଇଥିଲା ମଧ୍ୟାହ୍ନ ଭୋଜନରେ । ୬ଟି ପାତ୍ରରେ ତରକାରୀ ଦିଆଯାଇଥିଲା ଅମିତ ଶାହଙ୍କୁ । ଅମିତ ଶାହାଙ୍କ ବାମପଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବା ବେଳେ ଡାହାଣ ପାର୍ଶ୍ୱରେ ବସିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେହିପରି ଶାହଙ୍କ ସାମ୍ନାରେ ବସିଥିଲେ ମମତା ବାନାର୍ଜୀ ଓ ଧର୍ମେନ୍ଦ୍ର ପ୍ରଧାନ ।

Leave a Reply