ଚାରି ବର୍ଷ ହେବ ଡିପ୍ରେସନ ସହ ଲଢ଼େଇ କରୁଛନ୍ତି ଆମିର ଖାନଙ୍କ ଝିଅ ଇରା, ଭିଡିଓ ସେୟାର କରି କହିଲେ ଏମିତି କଥା

1 min read

ନୂଆଦିଲ୍ଲୀ: ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓଟି ଦେଖିସାରିବା ପରେ ପ୍ରଶଂସକ ଚକିତ ହୋଇଯାଇଛନ୍ତି । ଭିଡିଓ ମାଧ୍ୟମରେ ଆମୀରଙ୍କ ଝିଅ କହୁଛନ୍ତି ଯେ, ସେ ଡିପ୍ରେସନ ସହ ସଂଘର୍ଷ କରୁଛନ୍ତି । ସେ ଗତ ଚାରି ବର୍ଷ ଧରି ଡିପ୍ରେସନ ସହ ମୁକାବିଲା କରିଆସୁଛନ୍ତି । ଇରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

https://www.instagram.com/p/CGK5pCuAqdG/?utm_source=ig_embed

ଡିପ୍ରେସନ ସହ ଲଢ଼ୁଛନ୍ତି ଆମୀରଙ୍କ ଝିଅ

ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବା ଇରା ଖାନ ଏଥର ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଭିନ୍ନ କଥା ସେୟାର କରିଛନ୍ତି । ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ସେ ନିଜ ଜୀବନର ଯନ୍ତ୍ରଣାକୁ ଅତି ସାହସର ସହ ସମସ୍ତଙ୍କ ସହ ସେୟାର କରିଛନ୍ତି । ଭିଡିଓରେ ଇରା କହୁଛନ୍ତି- ହେଲୋ, ପୂର୍ବ ୪ ବର୍ଷ ହେବ ମୁଁ ଡିପ୍ରେସନରେ ଅଛି । ଏଥିପାଇଁ ମୁଁ ଡାକ୍ତରଙ୍କ ପାଖରେ ଚିକିତ୍ସା କରୁଛି । ବର୍ତ୍ତମାନ ମୁଁ ଭଲ ଅଛି । ମୁଁ ମାନସିକ ସ୍ୱାସ୍ଥ୍ୟ ଉପରେ କିଛି କରିବାକୁ ଚାହୁଁଥିଲି । କିନ୍ତୁ କ’ଣ କରିବି ବୁଝିପାରୁନଥିଲି ।  କିନ୍ତୁ ବର୍ତ୍ତମାନ ଏହି ଭିଡିଓ ମାଧ୍ୟମରେ ଇରା କହୁଛନ୍ତି ଯେ ସେ ସମସ୍ତଙ୍କୁ ତାଙ୍କ ଜୀବନ ଯାତ୍ରା ବିଷୟରେ କହିବାକୁ ଚାହୁଁଛନ୍ତି ଯେଉଁଥିରେ ସେ ଡିପ୍ରେସନ ସହ ଲଢ଼େଇ କରୁଥିଲେ । ଭିଡିଓ ଶେଷରେ, ସେ ଏକ ପ୍ରଶ୍ନ କରିଛନ୍ତି ଯେ – ମୋ ପାଖରେ  ସବୁକିଛି ଥାଇ ବି ମୁଁ ଡିପ୍ରେସନର ଶିକାର କାହିଁକି ?

ଇରା ଖାନଙ୍କ ଏହି ଭିଡିଓରେ ଅନେକ ପ୍ରକାର ପ୍ରତିକ୍ରିୟା ଆସୁଛି । ସମସ୍ତେ ଇରାଙ୍କ ସାହସକୁ ପ୍ରଶଂସା କରୁଛନ୍ତି । ନିଜ ଡିପ୍ରେସନ ବିଷୟରେ ଖୋଲିକି କଥା ହେବା ସହଜ ନଥାଏ । କିନ୍ତୁ ଇରା ସମସ୍ତଙ୍କ ସାମ୍ନାରେ ଏହାକୁ ସେୟାର କରିଛନ୍ତି ।

Leave a Reply