ମ୍ୟାଜିକ୍ ନମ୍ବର ନିକଟତର ବିଡେନ୍, ଟ୍ରମ୍ପଙ୍କ ଖାତାରେ ମାତ୍ର ୨୧୪ ଆସନ

ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବଢୁଛି ଉତ୍କଣ୍ଠା । ବଦଳିବାକୁ ଯାଉଛି ଦୃଶ୍ୟପଟ୍ଟ, ମ୍ୟାଜିକ୍ ନମ୍ବରର ନିକଟତର ବିଡେନ୍ । ଡୋନାଲ୍‌ଡ ଟ୍ରମ୍ପଙ୍କ ହାତରୁ ଖସିବାରେ ଲାଗିଛି ବାଜି । ବିଡେନ୍‌ଙ୍କୁ ୨୬୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କ ଖାତାରେ ୨୧୪ ଆସନ ରହିଛି । ଆମେରିକାରେ ମୋଟ୍ ଆସନ ୫୩୮ ରହିଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୨୭୦ ।

ବହୁମତଠାରୁ ମାତ୍ର ୬ଟି ଇଲେକ୍ଟୋରାଲ୍ ଭୋଟ୍ ଦୂରରେ ରହିଛନ୍ତି ବିଡେନ୍ । ଭୋଟ୍ ଗଣତି ଚାଲିଥିବା ବେଳେ ଦୁଇ ଦଳ ମଧ୍ୟରେ ଜୋରଦାର ହେଉଛି ବୟାନବାଜି । ଗଣତିରେ ଗଡ଼ବଡ଼ ଅଭିଯୋଗ ଆଣିଛନ୍ତି ଡୋନାଲ୍‌ଡ ଟ୍ରମ୍ପ । ବୈଧ ଭୋଟ୍ ଗଣତି ହେଲେ ସହଜରେ ଜିତିବେ ବୋଲି ଟ୍ରମ୍ପ କହିଛନ୍ତି । କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଟ୍ରମ୍ପଙ୍କୁ ନିରାଶ ହେବାକୁ ପଡିଛି । ମିସିଗାନ୍ ଓ ଜର୍ଜିଆରେ ଗଣତିରେ ଗଡବଡି ନେଇ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଏବେ ୪ଟି ରାଜ୍ୟ ଉପରେ ରହିଛି ନଜର ।

ପେନ୍‌ସିଲଭେନିଆ, ଜର୍ଜିଆ, ନର୍ଥ କାରୋଲିନା, ଏରିଜୋନାର ଗଣତି ଉପରେ ସମସ୍ତଙ୍କ ନଜର ରହିଛି । ପେନସିଲଭାନିଆରେ ମୋଟ୍ ଇଲେକ୍ଟୋରାଲ ଭୋଟ୍ ସଂଖ୍ୟା ୨୦ ରହିଛି । ଏଠାରେ ପ୍ରାୟ ୯୪ ପ୍ରତିଶତ କାଉଣ୍ଟିଂ ସରିଥିବା ବେଳେ ଟ୍ରମ୍ପ ଓ ବିଡେନ୍‌ଙ୍କ ମଧ୍ୟରେ କାଣ୍ଟେ କି ଟକ୍କର ଚାଲିଛି । ଜର୍ଜିଆ ଓ ଏରିଜୋନାରେ ବି କଡ଼ା ମୁକାବିଲା ଚାଲିଛି । ନର୍ଥ କାରୋଲିନାରେ ଚିତ୍ର ସ୍ପଷ୍ଟ ହେବା ବାକି ରହିଛି । ସେପଟେ ଚୂଡାନ୍ତ ରେଜଲ୍‌ଟ ପୂର୍ବରୁ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଡେନ୍ । ଗଣତି ଶେଷ ହେଲେ ସେ ଓ ସିନେଟର କମଳା ହାରିସ ବିଜେତା ଘୋଷଣା ହେବେ ବୋଲି ସେ କହିଛନ୍ତି ।

Leave a Reply