ଶିଳ୍ପାୟନ ଓ ନିଯୁକ୍ତି ସମ୍ଭାବନା ପାଇଁ ଶିଳ୍ପ ଆଇନରେ ସଂଶୋଧନ

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୨୦ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ । ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବାକୁ ଶିଳ୍ପ ଆଇନକୁ ସଂଶୋଧନ କରାଯାଇଛି । ଶିଳ୍ପାନୁଷ୍ଠାନ ପାଇଁ ଆଇପିଆର ଇନସେନଟିଭକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହାଦ୍ୱାରା ପ୍ରାୟ ୩୦୦ ଶିଳ୍ପାନୁଷ୍ଠାନ ଏବଂ ପ୍ରାୟ ୫୦ ହଜାର ଶ୍ରମିକ ଉପକୃତ ହେବେ । ସେହିଭଳି ଫାକ୍ଟ୍ରି ଆଇନରେ ମଧ୍ୟ ସଂଶୋଧନ କରାଯାଇ ଥ୍ରେସ ହୋଲ୍ଡ ଲିମିଟକୁ ଦୁଇଗୁଣା କରାଯାଇଛି । ଶିଳ୍ପାନୁଷ୍ଠାନରେ ଓଭର ଟାଇମ ସୀମା ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି । ମହିଳା କର୍ମଚାରୀମାନେ ମଧ୍ୟ କରିପାରିବେ ନାଇଟ ସିଫ୍ଟ  ।  ଶିଳ୍ପ ଆଇନରେ ନୂଆ ଧାରା ୫-କ ସଂଲଗ୍ନ କରାଯାଇଛି । ଏହାଦ୍ୱାରା ଆବଶ୍ୟକ ସ୍ଥଳେ ସରକାର କୌଣସି ଶିଳ୍ପାନୁଷ୍ଠାନକୁ ହଜାରେ ଦିନ ପାଇଁ ସବୁ ଆଇନରୁ ରିହାତି ଦେଇପାରିବେ । କିନ୍ତୁ ସେହି ହଜାରେ ଦିନ ମଧ୍ୟରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ଉତ୍ପାଦନକ୍ଷମ ହେବା ଆବଶ୍ୟକ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ମହିଳା କର୍ମଚାରୀଙ୍କ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ମିଳିବ । ସେପଟେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି । ପୁରୀ ମଙ୍ଗଳା ଘାଟରେ ୬.୬୬୧ ଏକର ଜମି ମାଗଣାରେ ଦିଆଯିବ ।

କୋଭିଡ କଟକଣା ଭିତରେ ବିଜେପୁରବାସୀଙ୍କ ଆସିଲା ଖୁସିର ଖବର । ପ୍ରତିଶୃତି ରକ୍ଷା କଲେ ମୁଖ୍ୟମନ୍ତ୍ରୀ । ଗତ ବିଜେପୁର ନିର୍ବାଚନରେ ମରୁଡି ପ୍ରପିଡିତ ଏହି ଅଂଚଳ ପାଇଁ ଏକ ଜଳସେଚନ ପ୍ରକଳ୍ପର ପ୍ରତିଶୃତି ଦେଇଥିଲେ । ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଜେପୁର ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ମଞ୍ଜୁରୀ ପାଇଛି  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି ବୈଠକରେ ବିଜେପୁର ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୧ଶହ ୩୮କୋଟି ଟଙ୍କାର ମଞ୍ଜୁରୀ କରାଯାଇଛି ।ଏହା ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଝାରୀ ।ଏହି ପ୍ରକଳ୍ପ ହେଲେ ଚିର ମରୁଡି ପ୍ରପିଡିତ ବିଜେପୁର, ସହଲା ସମେତ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଓ ଡୁଙ୍ଗୁରିପାଲି ବ୍ଲକର ୨୫ହଜାର ୬ଶହ ହେକ୍ଟର ଜମି ଜଳସେଚିତ ହୋଇ ପାରିବ ।୩୦ ମାସ ଭିତରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।  ଆଗାମୀ ଦିନରେ ଆହୁରି ୭ଶହ କୋଟି ଟଙ୍କା ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଦିଆଯିବ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ।

ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ଦୃଢୀକରଣ ପାଇଁ ନିର୍ମଳ ଯୋଜନାକୁ ସଂଶୋଧନ କରାଯାଇଛି । ଆଜି ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ନିର୍ମଳ ଯୋଜନାର ସଫଳତାକୁ ଦେଖ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ ଯୋଜନା ଆରମ୍ଭ ହୋଇଛି । ଏଥିରେ ପାଞ୍ଚ ବର୍ଷରେ ୧୯୯୮ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ନିର୍ମଳ ଯୋଜନାରେ ରାଜ୍ୟର ମୋଟ ୧୮୧୨ଟି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସାମିଲ ହୋଇଥିଲା । ନିର୍ମଳ ପ୍ଲସ ଯୋଜନାରେ ୪ଟି ନୂଆ ମେଡିକାଲ କଲେଜ, ୯ଟି ଆୟୁଷ କଲେଜ ଏବଂ ୩୨ଟି ନର୍ସିଂ କଲେଜ ଏହିଭଳି ମୋଟ ୪୫ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ କରାଯାଇଛି । ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ତିନୋଟି ମେଡିକାଲ କଲେଜ ସହ କ୍ୟାପିଟାଲ ହସ୍ପିଟାଲ, ଓ ଅନ୍ୟ ତିନୋଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ କରାଯାଇଛି ।

ସେହିପରି ଓଡିଶା ହେଲଥ ଆସ୍ୟୁରାନ୍ସ ସୋସାଇଟିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ । ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିର ହିତାଧିକାରୀମାନେ ସାମିଲ ହୋଇଛନ୍ତି । ଏହାଦ୍ୱାରା ୭୦ ଲକ୍ଷ ପରିବାର ଉପକୃତ ହେବେ । ଏଥିରେ ସମସ୍ତଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ ସ୍ୱାସ୍ଥ୍ୟ ସେବା ମିଳିବ । ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ । ମହାମାରି ଆଇନରେ ରାଜ୍ୟ ସରକାର କରିଛନ୍ତି ସଂଶୋଧନ । ସମାଜିକ ଦୂରତା ଉଲଂଘନ ପାଇଁ କେତେକ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଥିଲା । ଏବେ ଆଇନର ସଂଶୋଧନ ପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ ହୋଇପାରିବ । ଆଜିର କ୍ୟାବିନେଟ ଏହି ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି । ସେପଟେ ପାନୀୟ ଜଳ ଯୋଜନାରେ ଗତ ୩ ବର୍ଷରେ ରାଜ୍ୟ ସରକାର ୨୪ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ପ୍ରତିଷ୍ଠା ହେବ ୬୮୦୦ କ୍ଷୁଦ୍ର ଓ ୬୬ଟି ବୃହତ ପ୍ରକଳ୍ପ । ଉପକୃତ ହେବେ ରାଜ୍ୟର ୪୮ ପ୍ରତିଶତ ଜନସଂଖ୍ୟା । ଆଜି ୪ଟି ନୂଆ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜରୀ ଦେଇଛି । ଏହି ୪ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୨୭ କୋଟି ଟଙ୍କା । କୋରାପଟୁ, ମାଲକାନିଗିରି, ମୟୁରଭଞ୍ଜ ଗଜପତି, କଟକ ଓ ବାଲେଶ୍ୱରର ୯୧୧ଟି ଗାଁର ୬ ଲକ୍ଷ ୭ ହଜାର ଅତିରିକ୍ତ ଜନସଂଖ୍ୟା ଏହି ପାନୀୟଜଳ ପ୍ରକଳ୍ପରୁ ଉପକୃତ ହେବେ ।

ସହରାଞ୍ଚଳରେ ୨୫ ପ୍ରତିଶତ ଜନସଂଖ୍ୟା ବସ୍ତିରେ ରହୁଛନ୍ତି । ଏଥିପାଇଁ ପୌର ପରିଷଦର ବାର୍ଷିକ ବଜେଟର ୨୫ ପ୍ରତିଶତ ବସ୍ତିର ବିକାଶ ପାଇଁ ସଂରକ୍ଷିତ ରଖିବାକୁ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ପୌର ପରିଷଦ ଓ ମହାନଗର ନିଗମ ଆଇନରେ ସଂଶୋଧନ କରାଯାଇଛି । ସେହିଭଳି ପୂର୍ବରୁ ଟ୍ରେଡ଼ ଲାଇସେନ୍ସ ପାଇଁ ସମୟ ଲାଗୁଥିଲା । ଏଣିକି ଆବେଦନ ଦିନ ହିଁ ବ୍ୟବସାୟ ପାଇଁ ପ୍ରୋଭିଜନାଲ ଲାଇସେନ୍ସ ପ୍ରଦାନ କରାଯିବ । ପୌରାଞ୍ଚଳରେ ଅନେକଗୁଡିକ ପୁରୁଣା ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ତେଣୁ ପୌରାଞ୍ଚଳକୁ ନିଜସ୍ୱ ଆୟ ବୃଦ୍ଧି ପାଇଁ ସ୍ୱାଧିନତା ଦିଆଯାଇଛି । ପୁରୀ ଐତିହ୍ୟ କ୍ଷେତ୍ର ପାଇଁ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପଟୁ ୭୫ ମିଟର ପରିଧି ଅଞ୍ଚଳକୁ ଜବରଦଖଲମୁକ୍ତ କରାଯାଇଛି । ଉଚ୍ଛେଦ ହୋଇଥିବା ଲୋକଙ୍କୁ ମଙ୍ଗଳାଘାଟରେ ପୁର୍ନବାସ କଲୋନି ନିର୍ମାଣ କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ୬.୬୧୬ ଏଜର ଜମି ମାଗଣାରେ ପ୍ରଦାନ କରିଛନ୍ତି । ଏହି ଜମି ଉପରେ ଷ୍ଟାମ୍ପ ଡ୍ୟୁଟିକୁ ମଧ୍ୟ ହଟାଇଦିଆଯାଇଛି ।

ସେପଟେ ରାଜ୍ୟର ବିଦ୍ୟୁତ ଉପଭୋକ୍ତାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇଦେବାକୁ ରାଜ୍ୟ ସରକାର ଗ୍ରୀଡକୋକୁ ଋଣ ଯୋଗାଇ ଆସୁଛନ୍ତି । ଏଭିତରେ ଗ୍ରୀଡକୋ ସବୁ ଋଣ ଫେରାଇ ସାରିବା ସହ ୩୬୦୮ କୋଟି ଟଙ୍କାର ଗ୍ୟାରେଣ୍ଟି ମଧ୍ୟ ପ୍ରତ୍ୟାର୍ପଣ କରିଛି । ବର୍ତ୍ତମାନ ୨୦୧୯-୨୦ ଆର୍ଥିକ ବର୍ଷରେ ଗ୍ରୀଡକୋ ୧୫୦୦ କୋଟି ଟଙ୍କା ଋଣ କରିଥିବା ବେଳେ ଏହି ଋଣ ଉପରେ ସରକାରୀ ଗ୍ୟାରେଣ୍ଟିର ମଂଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ।

Leave a Reply