ପିପୁଲସ ଫ୍ରେଣ୍ଡଲି ହୋଇପାରୁନି ପୋଲିସ: ଖାକି ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ

ଭୁବନେଶ୍ୱର: ପିପୁଲସ ଫ୍ରେଣ୍ଡଲି ହୋଇପାରୁନି ପୋଲିସ । ରାଜ୍ୟ ମାନବାଧିକାର କମିଶନରେ ପଡିରହିଥିବା ୧୫ ହଜାର ମାମଲା ମଧ୍ୟରୁ ୮ ହଜାର ମାମଲା କେବଳ ପୋଲିସ ବିରୋଧରେ ରହିଛି । ୨୦୨୦ ମସିହାରେ ରୁଜୁ ହୋଇଥିବା ୨୯୧୦ ଟି ମାମଲା ମଧ୍ୟରୁ ପୋଲିସ ବିରୋଧରେ ୭ ଶହରୁ ଅଧିକ ମାମଲା ରହିଛି ।

ରାଜ୍ୟ ମାନବାଧିକାର କମିଶନରେ ନ୍ୟାୟ ଅପେକ୍ଷାରେ ୧୫ ହଜାର ମାମଲା  । ସେଥିରୁ କେବଳ ୮ ହଜାର ମାମଲା ପୋଲିସ ବିରୋଧରେ । ଗତବର୍ଷ କମିଶନରେ ୨୯୧୦ ଟି ମାମଲା ରୁଜୁ ହୋଇଥିବା ବେଳେ ୭ ଶହ ମାମଲା ପୋଲିସ ବିରୋଧରେ ରହିଛି । ୧୩ଟି ହାଜତ ମୃତ୍ୟୁ ଓ ଏନକାଉଣ୍ଟର ମାମଲାରେ ମୃତକଙ୍କ ପରିବାରକୁ ୨୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସେହିପରି ଅଭିଯୁକ୍ତଙ୍କୁ ଆମାନୁଷିକ ଭାବେ ଦଣ୍ଡ ଦେବା ଓ ପରିବାର ଲୋକଙ୍କୁ ମାନସିକ ଅତ୍ୟାଚାର କରିବା ଘଟଣାରେ ୧୭ ଶହ କେସ ବିଚାରାଧୀନ ରହିଛି । ଗତ କିଛି ଦିନ ତଳେ ବାଲିପାଟଣା ଥାନାର ଜଣେ କର୍ମଚାରୀ ୭ ବର୍ଷର କୁନି ଝିଅକୁ ୧୯ ବର୍ଷୀୟ ଦେଖାଇ ଜେଲ କୋର୍ଟରେ ହାଜର କରିବା ଘଟଣା ପୋଲିସ ବିଭାଗର କାର୍ଯ୍ୟଶୈଳୀକୁ ସନ୍ଦେହ ଘେରକୁ ଟାଣି ଆଣିଛି ।

କମିଶନରେଟ ପୋଲିସରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ୮ ବର୍ଷ ମଧ୍ୟରେ ପୋଲିସ ବିପକ୍ଷରେ ଆସିଛି ୮୮ ଅଭିଯୋଗ । ତଦନ୍ତ ନହୋଇ ଏଯାଏଁ ପଡିରହିଛି ୩୮ ମାମଲା । ସେହିପରି ଟୁଇନ ସିଟିର ୭୩ ଜଣ ଇନ୍ସପେକ୍ଟର ଙ୍କ ବିରୋଧରେ ପିଟିସନ ପଡିଛି । ବାରମ୍ବାର ପୋଲିସ ଡିଜି ଲୋକଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଥାନା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଳତଳିଆ କର୍ମଚାରୀଙ୍କ ବ୍ୟବହାର ଲୋକଙ୍କୁ ଅତିଷ୍ଠ କରୁଥିବା ଅଭିଯୋଗ ହୋଇଛି  । ଏଣୁ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଓ ଅଭିଯୁକ୍ତଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ହେଲେ ପୋଲିସ ତାର କାର୍ଯ୍ୟଶୈଳୀ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା ଅପରିହାର୍ଯ୍ୟ ବୋଲି କହିଛନ୍ତି ମାନବାଧିକାର କର୍ମୀ ।

ପୋଲିସ କର୍ମଚାରୀଙ୍କ ମନମୁଖୀ କାମ ରୋକିବା ପାଇଁ ‘ମୋ ସରକାର’ ଓ ‘୫ଟି’ ପକ୍ଷରୁ ଜିରୋ ଟଲରାନ୍ସ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୋଲିସର କାର୍ଯ୍ୟଶୈଳୀ ସମ୍ପର୍କରେ ନିଜେ ଫୋନ କରି ମତାମତ ଗ୍ରହଣ କରିବା ପରେ ବ୍ୟବହାରରେ ପରିବର୍ତ୍ତନ ଆସିଥିବା ଦେଖାଯାଉଛି ।

Leave a Reply