ଓଡ଼ିଶାକୁ ପଶି ଆସୁଛି ଆନ୍ଧ୍ର, କୋରାପୁଟ ପରେ ଗଜପତିରେ ଦାଦାଗିରି

1 min read
Alleged Encroachment At Gajapati By Andhra Pradesh

ପାରଳାଖେମୁଣ୍ଡି: କୋରାପୁଟ ପରେ ଗଜପତି ଜିଲ୍ଲାରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ । ସୀମାନ୍ତ ପାତ୍‌ପାଟନମ୍‌ ମ‌ଣ୍ଡଳର ଏଏସ୍‌ କାଭିଟି ନିକଟରେ ୧୨ ଏକରରୁ ଅଧିକ ଜମିକୁ ନିଜର ବୋଲି ଦାବି କରୁଛନ୍ତି ଆନ୍ଧ୍ରଚାଷୀ । ବିଡ଼ମ୍ବନା ବିଷୟ, ଓଡ଼ିଶା ଲୋକଙ୍କୁ ରାଜ୍ୟ ସରକାର ଜମିପଟ୍ଟା ଦେଇଥିବା ବେଳେ ଆନ୍ଧ୍ର ଲୋକ ବି ଜମିପଟ୍ଟା ଦେଖାଇ ଦାଦାଗିରି କରୁଛନ୍ତି । ସେମାନଙ୍କୁ ଆନ୍ଧ୍ର ସରକାର ସାଥ୍ ଦେଉଛି । ଏହା ଆଜିର ନୁହେଁ, ଦୀର୍ଘବର୍ଷର ବିବାଦ । ଓଡ଼ିଶା ପ୍ରଶାସନର ବିଭିନ୍ନ ସ୍ତରରେ ବାରମ୍ବାର ଅଭିଯୋଗ ପରେ ବିବାଦର ସମାଧାନ ହୋଇପାରୁନାହିଁ ।

Alleged Encroachment At Gajapati By Andhra Pradesh

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ପ୍ରସ୍ତୁତ ମାନଚିତ୍ରକୁ ଆଧାର କରି ପାତ୍‌ପାଟନମ୍‌ ଅଞ୍ଚଳର ୧୨ ଏକର ଜମି ୧୨ ଜଣ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ପଟ୍ଟା ସହ ଦେଇଥିଲେ । ଜମିର ପଟ୍ଟା, ପାଉତି ଆଦି ଓଡ଼ିଶା ଚାଷୀଙ୍କ ପାଖରେ ଥିବା ବେଳେ ସମାନ ଭାବରେ ଆନ୍ଧ୍ର ଚାଷୀଙ୍କ ନିକଟରେ ମଧ୍ୟ ଏସବୁ ଦସ୍ତାବିଜ୍‌ ରହିଛି । ଫଳରେ ଲାଗି ରହିଛି ବିବାଦ । ଏବେ ଏ ଜମିକୁ ଆନ୍ଧ୍ର ସରକାରଙ୍କ ସହଯୋଗରେ ଆନ୍ଧ୍ରର ଚାଷୀ ନିଜର ବୋଲି ଦାବି କରୁଛନ୍ତି । ଏ ବିବାଦ ଉଗ୍ରରୂପ ନେବାରେ ଲାଗିଛି ।

Alleged Encroachment At Gajapati By Andhra Pradesh

ଆଜି ଆନ୍ଧ୍ର ରାଜସ୍ୱ ବିଭାଗର ଅଧିକାରୀ ଓ କିଛି ଚାଷୀ ବିବାଦୀୟ ଜମିରେ ଏକତ୍ରିତ ହୋଇ ଏହି ଜମି ଆମର, ଆମର ହକ୍‌ କୌଣସି ମତେ ଛାଡିବୁ ନାହିଁ, ଏଥିରେ କେହି ହସ୍ତକ୍ଷେପ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଛନ୍ତି । ଫଳରେ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ରହିଛି । ଓଡ଼ିଶା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଏହି ଜମି ଆନ୍ଧ୍ରକୁ ଚାଲିଯିବ ।

Leave a Reply