OTV ଏମ୍‌ଡିଙ୍କ ପରିବାର ନାଁରେ ଜମି ଜାଲିଆତି ଅଭିଯୋଗ: ଜମି ବିକ୍ରି କରିବାକୁ ବାଧ୍ୟ କରିଦେଇଛନ୍ତି ଓଟିଭି କର୍ତ୍ତୃପକ୍ଷ

1 min read

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲା ପରେ ଜମି ଜବରଦଖଲ ଅଭିଯୋଗରେ ଛନ୍ଦି ହେଲେ OTV MDଙ୍କ ପରିବାର । ଦୀର୍ଘ 10ବର୍ଷରୁ ଅଧିକ ସମୟ ହେଲା ଖୋର୍ଦ୍ଧା ସାରୁଅ ଗାଁରେ ଜମି ଜାଲିଆତି କରି ଚାଷଜମି ନଷ୍ଟ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ କମ୍ପାନୀର ଗୁଣ୍ଡାଗିରିରେ ଭୟଭୀତ ଗ୍ରାମବାସୀ ଶେଷରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି । ଘଟଣାର ତଦନ୍ତ କରାଯିବ ବୋଲି ଆଶ୍ୱାସନା ଦେଇଛି ଜିଲ୍ଲା ପ୍ରଶାସନ ।

OTV MD ଜଗି ପଣ୍ଡାଙ୍କ ବାପା ଓ ଭାଇଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁ ଲୋକେ । କିଛି ବର୍ଷ ତଳେ ଗାଁର ଜମି କିଣିଥିଲେ OTV MDଙ୍କ ପରିବାର । ସେଠାରେ ଚାଷ ପ୍ରଣାଳୀ ସହ ଫାର୍ମ ହାଉସ କରିବାକୁ ଗ୍ରାମବାସୀମାନକୁ ପ୍ରତିଶ୍ରୁତି ଦିଆଯାଇଥିଲା  ।

ହେଲେ ଏପରି ନ କରି OTV MD ଓ ତାଙ୍କ ପରିବାର ସେଠାରେ ବଡ଼ ବଡ଼ ଘର, ପାଚେରି  ପୋଖରୀ, ରାସ୍ତା ନିର୍ମାଣ କରି ଗ୍ରାମବାସୀଙ୍କ ଭାତ ହାଣ୍ଡି ଉପରେ ମାଡ ମାରି ଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ନିଜ ଚାଷ ଜମିକୁ ଯାଇ ପାରୁନାହାନ୍ତି ଗାଁ ଲୋକ । କିଏ କିଛି ଅଂଶ ଜମି ବିକିଛନ୍ତି, ହେଲେ ବାକି ଜମି ପାଖରେ ସଂପୃକ୍ତ କମ୍ପାନୀ ପାଚେରୀ ବୁଲାଇ ଦେଇଥିବାରୁ ନିଜ ଜମିକୁ ଯିବାର ବାଟ ପାଉ ନାହାଁନ୍ତି  । ୨୦୧୮ରେ ପ୍ରତିବାଦ କରିଥିବା ଏକ ପରିବାରକୁ ବାହୁବଳ ଓ ଅର୍ଥବଳରେ ଜେଲ ପଠାଯାଇଥିବା ନଜିର ରହିଛି  ।

ଅନ୍ୟପଟେ ଆଦୌ ଜମି ବିକି ନଥିବା ଲୋକଙ୍କ ସ୍ଥିତି ବି ସମାନ । ପାଚେରୀ ଘେରରେ ସେମାନଙ୍କ ଜମି ଘେରାବନ୍ଦୀ । ପାଚେରୀ ବୁଲିବାରୁ ସେମାନଙ୍କ ଚାଷ ଜମିକୁ ଯାଉଥିବା ପୋଖରୀରୁ ପାଣି ବି ଯାଇ ପାରୁନି । ପ୍ରତିବାଦ କଲେ ଓଟିଭି ମାଲିକାଣୀ ଜଗି ପଣ୍ଡାଙ୍କ ଗୁଣ୍ଡା ଦେଉଛନ୍ତି ହତ୍ୟା ଧମକ  ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ଜମି ଜବରଦଖଲ କରିବାକୁ ମଧ୍ୟ ଧମକ ଦେଉଥିବାରୁ ଭୟଭୀତ ଗ୍ରାମବାସୀ । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଜ ସୁରକ୍ଷା ଦାବି କରିଛନ୍ତି ଗାଁ ଲୋକେ । ନଚେତ ଆତ୍ମହତ୍ୟା କରିବେ ବୋଲି ଦେଇଛନ୍ତି ଚେତାଵନୀ ।

 ଏପରି ଏକ ସମ୍ବେଦନଶୀଳ ଘଟଣାର ଅଭିଯୋଗ ପରେ ତଦନ୍ତ ପରିସରଭୁକ୍ତ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଖୁବ ଶୀଘ୍ର ଏକ କମିଟି ଜରିଆରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ  । ଜବରଦଖଲ ଅଭିଯୋଗ ପ୍ରମାଣିତ ହେଲେ, ସମ୍ପୃକ୍ତ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ  । ଏପରିକି ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ସହ ବି ଜିଲ୍ଲାପାଳ ଆଲୋଚନା କରିବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପଳ  । ରାସ୍ତା ଓ ଜଳ ଅବରୋଧକୁ ବେଆଇନ ଦର୍ଶାଇଛି ପ୍ରଶାସନ । ସରକାରୀ ଦରଠାରୁ କମରେ ଚଞ୍ଚକତା କରି ଜମି କିଣାଯାଇଥିଲେ, ସଂପୃକ୍ତ କମ୍ପାନୀ ବିରୋଧରେ ନିଆଯିବ ଆଇନଗତ ପଦକ୍ଷେପ  ।  ନାବାଳିକା ଗଣଦୁଷ୍କର୍ମ ମାମଲା  । ଏବେ ଜମି କେଳେଙ୍କାରୀ ଅଭିଯୋଗ  । ଗୋଟିଏ ଘଟଣାକୁ ଚପାଇଦେବାକୁ ଉଦ୍ୟମ ଅନ୍ୟଟିରେ ଦାଦାଗିରି ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କ ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଦେଇଛି  ।

Leave a Reply