ଆମ୍ୱୁଲାନ୍ସ ଅବହେଳାରେ ଶିଶୁମୃତ, ଅବହେଳା ସ୍ୱୀକାର କଲେ କର୍ତ୍ତୃପକ୍ଷ

ମୟୁରଭଞ୍ଜ : ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ। ଡାକ୍ତରଖାନା ପରିସରରେ ଉନେଜନା। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଆମ୍ବପୋତା ଗ୍ରାମର ନିଶାରଞ୍ଜନ ବେହେରାଙ୍କର ଏକ ବର୍ଷର ଶିଶୁ ପୁତ୍ର ଦେହ ଅସୁସ୍ଥ ହେବାରୁ ରବିବାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ସୋମବାର କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକ ଯିବା ବାଟରେ ପିଲାଟି ନିସ୍ତେଜ ହୋଇଯିବାରୁ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁକୁ ଡାକ୍ତରଙ୍କୁ ଦେଖାଇଥିଲେ।

ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ ଶିଶୁଟିକୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରୁ କଟକ ବଡ଼ ମେଡିକାଲକୁ ୧୦୮ ଆମ୍ବୁଲାନସରେ ନେବା ରାସ୍ତାରେ ଆମ୍ବୁଲାନସ୍ କର୍ମଚାରୀ ଏକ ହୋଟେଲରେ ପାଖାପାଖି ୨ଘଣ୍ଟା ସମୟ ଧରି ଖାଦ୍ୟ ଖାଇଥିଲେ। ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଶିଶୁକୁ କୌଣସି ଚିକିତ୍ସା ବ୍ୟବସ୍ତା ଆମ୍ବୁଲାନ୍ସ କର୍ମଚାରୀ ପ୍ରଦାନ କରି ନ ଥିଲେ।

ଯାହା ଫଳରେ ପିଲାଟି ଗୁରୁତ୍ତର ହୋଇ ପଡ଼ିଥିଲା। ପରିବାର ଲୋକେ ନ୍ୟାୟ ଅପେକ୍ଷାରେ ଆମ୍ବୁଲାନ୍ସ ଭିତରେ ନିଜ ମୃତ ଶିଶୁକୁ ଧରି ବସି ରହିଥିବା ବେଳେ ବେତନଟୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆମ୍ବୁଲାନ୍ସ କର୍ମଚାରୀ ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି। ସେପଟେ କର୍ମଚାରୀଙ୍କ ଅବହେଳା ସ୍ବୀକାର କଲେ 108 ଆମ୍ବୁଲାନ୍ସ କର୍ତ୍ତୃପକ୍ଷ । ଘଟଣାରେ ସମ୍ପୃକ୍ତ ଫାର୍ମାସିଷ୍ଟକୁ ବରଖାସ୍ତ କରାଯାଇଥିବା ସୂଚନା ଦେଇଛନ୍ତି 108 ଆମ୍ବୁଲାନ୍ସ କର୍ତ୍ତୃପକ୍ଷ ।

Leave a Reply