ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ, ମାଆ ଛେଉଁଣ୍ଡ ହେଲା ଦିନକର ଶିଶୁ

ଭଦ୍ରକ: ଚିକିତ୍ସା ଅବହେଳାରୁ ଘରୋଇ ନର୍ସିଂହୋମରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଏତଲା ଦେଇଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାଟି ହେଉଛି ଭଦ୍ରକ ସହରର । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ ନାମରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ।

ସୂଚନା ଅନୁସାରେ, ତିହିଡି ଥାନା କୋହ୍ଲ ଅଞ୍ଚଳର ଅର୍ଚନା ନାମକ ଜଣେ ପ୍ରସୂତି ମହିଳାଙ୍କୁ ପ୍ରସବ ପାଇଁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ପ୍ରସବ ପରେ ମହିଳା ଶିଶୁ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଅବସ୍ଥା ଶୋଚନୀୟ ହେବାରୁ ପରିବାର ଲୋକେ  ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲେ । ତେବେ ପରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିଲା ।

ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ସୂଚନା ମିଳିଛି । ତେବେ ଚିକିତ୍ସାରେ ଅବହେଳା ହୋଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାକୁ ନେଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଉକ୍ତ ନର୍ସିଂ ହୋମରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବାରମ୍ଵାର ଉକ୍ତ ନର୍ସିଂ ହୋମ ରେ ଏଭଳି ଘଟଣା ହେଉଥିବାରୁ ଏମିତି ଅଭିଯୋଗ ମଧ୍ୟ ବାରମ୍ବାର ଆସୁଛି ।

Leave a Reply