ଯୁଦ୍ଧ ଜାହାଜରେ ବସିବେ ବିଧାୟକ, ଦେଖିବେ ନୌସେନାର ଯୁଦ୍ଧ କୌଶଳ

ଭୁବନେଶ୍ୱର: ପ୍ରଥମ ଥର ନିଆରା ମଜା ନେବେ ୧୪୭ ବିଧାୟକ । ଆସନ୍ତା ୨୨ ତାରିଖରେ ଏପରି ଏକ ଅଭିଯାନ ପାଇଁ ରାଜ୍ୟର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ ମିଳିଛି । ପାରାଦ୍ୱୀପ ଯାଇ ଭାରତୀୟ ନୌସେନାର ଯୁଦ୍ଧ କୌଶଳ, ପ୍ରୟୋଗ ଏବଂ ଯୁଦ୍ଧାସ୍ତ୍ର ପାଖରୁ ଦେଖିବେ ସମସ୍ତ ବିଧାୟକ । ସକାଳ ସାଢେ ୬ଟାରୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବସ ଯୋଗେ ପାରାଦ୍ୱୀପ ଯିବା ସହ ସାଢେ ଆଠଟା ପରେ ନୌସେନାର ଯୁଦ୍ଧ ଜାହାଜରେ ବସି ସମୁଦ୍ରରେ 60 କିଲୋମିଟର ପର୍ଯ୍ୟନ୍ତ ବୁଲିବେ ବିଧାୟକ ।

ସେହିପରି ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ବିଧାୟକ ଏବଂ ମନ୍ତ୍ରୀମାନେ ସମୁଦ୍ରରେ ବୁଲିବା ସହ ବାୟୁସେନା ଅଧିକାରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ । ନୌସେନା କମାଣ୍ଡରଙ୍କ ଅନୁରୋଧ ପରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏ ସଂପର୍କରେ ସମସ୍ତ ବିଧାୟକଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ପାରାଦ୍ୱୀପରେ ବୁଲିବା ପାଇଁ ବିଧାୟକ ଏବଂ ମନ୍ତ୍ରୀଙ୍କ ପାଇଁ ତିନିଟି ଯୁଦ୍ଧ ଜାହାଜର ବ୍ୟବସ୍ଥା କରାଯାଇଛି । ଏଭଳି ଏକ ଭିନ୍ନ ଜଳଯାତ୍ରାକୁ ନେଇ ବେଶ ଉତ୍ସାହିତ ସମସ୍ତ ଦଳ ବିଧାୟକ । ରାଜନୈତିକ କାର୍ଯ୍ୟକ୍ରମ ଏବଂ ଭିଡ ଭିତରେ ରହୁଥିବା ବିଧାୟକମାନଙ୍କ ପାଇଁ ଏଭଳି ପଦକ୍ଷେପ ପ୍ରଥମ । ଏପରିକି ବିଶାଳ ସମୁଦ୍ର ମଧ୍ୟରେ ନୌସେନାର ଯୁଦ୍ଧଶୈଳୀ ଦେଖିବା ଏବଂ ବିଶେଷ ଅନୁଭବ ନେବା ନିଶ୍ଚିତ ଭାବେ ଏକ ନିଆରା ଅନୂଭୂତି ଆଣିଦେବା ନେଇ ଆଶାପ୍ରକଟ କରିଛନ୍ତି ବିଧାୟକ ।

Leave a Reply