ଏବେ ଏରୋପ୍ଲେନରେ ନେଇପାରିବେ ରେସ୍ତୋଁରାର ମଜା

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡା ସ୍ଥିତ ଜିପି ମଲ୍ ଠାରେ ଏକ ଏରୋପ୍ଲେନ ଭିତରେ ଥିମ୍ ରେସ୍ତୋଁରା ଆରମ୍ଭ ହେବାକୁ ଯାଉଛି। ଯାହା ନିଶ୍ଚିତ ଭାବେ ଲୋକଙ୍କୁ ଏକ ନୂଆ ଅନୁଭୂତି  ପ୍ରଦାନ କରିବ । ଲୋକମାନେ ଏହି ବିମାନ ରେସ୍ତୋଁରାରେ ଖାଇବା ସହିତ ବିମାନ ଯାତ୍ରାର ଅନୁଭବ ପାଇପାରିବେ । ଯାହର ଶୁଭାରମ୍ଭ ‘ଏଡ୍ୟୁଟେନମେଣ୍ଟ’ କନସେପ୍ଟ ଉପରେ କରାଯିବାକୁ ଥିବା ବେଳେ ସାହାରର ପୁରୁଣା ବିମାନକୁ ଏଥିପାଇଁ ବ୍ୟବହାର କରାଯିବ।

ଡିସେମ୍ବର ୧୫ରୁ ଏହି ’ପ୍ଲେନ୍ ରେସ୍ତୋଁରା’ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ ଲୋକମାନେ ଏଥିରେ ଉଭୟ ଶିକ୍ଷା ଏବଂ ମନୋରଞ୍ଜନର ମଜା ଉଠାଇପାରିବେ ଏବଂ ବିମାନର କକପିଟ୍ ବିଷୟରେ ଜାଣିବା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ଏବିଷୟରେ ସୂଚନା ବି ପାଇପାରିବେ ।

ଏହି ବିମାନରେ ଗୋଟିଏ ଥରରେ ୫୦ ଜଣ ଲୋକଙ୍କ ପ୍ରବେଶ ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ରନୱେକୁ ଥିମରେ ସଜାଯିବାକୁ ଥିବା ବେଳେ ବିମାନ ଆଖପାଖରେ ଚେକ୍ ପଏଣ୍ଟସ୍, ପାଇଲଟ୍, ଏୟାରହୋଷ୍ଟେସ୍ ଏବଂ କ୍ୟାପଟେନ ଉପସ୍ଥିତ ରହିବେ । ଯାହାଫଳରେ ଲୋକମାନେ ବିମାନର ମଜା ନେଇପାରିବେ ।

ଏନେଇ ମଲର ଏସୋସିଏଟ୍ ନିର୍ଦ୍ଦେଶକ (ମାର୍କେଟିଂ) ଶମିମ କହିଛନ୍ତି ଯେ ଯେଉଁମାନେ ପ୍ଲେନ୍ ଭିତରକୁ ଯିବେ, ସେମାନେ ଖାଦ୍ୟ ଖାଇବାକୁ ବାଧ୍ୟ ନୁହେଁ । ଖାଇବା ପାଇଁ ଏକ ଅଲଗା ଟିକେଟ୍ ବ୍ୟବସ୍ଥା କରାଯିବ, ଯାହାଫଳରେ ଜଣେ ସାଧାରଣ ଲୋକ ମଧ୍ୟ ବିମାନ ଭିତରକୁ ଯାଇ ଏହାକୁ ଉପଭୋଗ କରିପାରିବ ।

ତେବେ ଉତ୍ତରପ୍ରଦେଶରେ ଏହା ପ୍ରଥମ ଏବଂ ଦିଲ୍ଲୀ ଏନସିଆରରେ ଏହା ଦ୍ୱିତୀୟ ବିମାନ ରେସ୍ତୋଁରା ବୋଲି ସୂଚନା ମିଳିଛି ।

Leave a Reply