ଏୟାର ଇଣ୍ଡିଆ ୱାନ୍ ପ୍ରସ୍ତୁତ, ଟ୍ରମ୍ପଙ୍କ ବିମାନ ଭଳି ସୁରକ୍ଷା ବ୍ୟବସ୍ଥା

1 min read

ନ୍ୟୁୟର୍କ: ଭାରତୀୟ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପାଇଁ ଉଦ୍ଧିଷ୍ଟ ସୁପରଜେଟ୍ ‘ଏୟାର ଇଣ୍ଡିଆ ୱାନ୍’ ପ୍ରସ୍ତୁତ ହୋଇ ସାରିଛି । ଚଳିତ ମାସରେ ବୋଇଁ ଏହି ବିମାନ ଭାରତକୁ ହସ୍ତାନ୍ତର କରିବ । ପ୍ରଧାନମନ୍ତ୍ରୀ ମୋଦି ବ୍ୟବହାର କରିବାକୁ ଥିବା ଏହି ସୁପରଜେଟ୍’ରେ ଆମେରିକା ରାଷ୍ଟ୍ରପତି ବ୍ୟବହାର କରୁଥିବା ‘ଏୟାର ଫୋର୍ସ ୱାନ୍’ ଭଳି ସୁରକ୍ଷା ବ୍ୟବସ୍ଥା ରହିଛି । ଏହା ଏକପ୍ରକାର ଆକାଶରେ ‘ଉଡନ୍ତା ଦୁର୍ଗ’ଭଳି ହେବ ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ପାଇଁ  ଏୟାର ଇଣ୍ଡିଆ ଦୁଇଟି ନୁଆ ବୋଇଂ ୭୭୭-୩୦୦ ବିମାନ କିଣିଥିଲା ।  ଏହି ବିମାନ ଦୁଇଟିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ପରିବର୍ତ୍ତନ କରାଯାଇଛି । ଭାରତ ଏଥିପାଇଁ ଆମେରିକା ସହ ୧୩ଶହ କୋଟି ଟଙ୍କାର ଚୁକ୍ତି କରିଥିଲା । ଏଥିପାଇଁ ଦୁଇଟି ସେଲଫ୍ ପ୍ରୋଟେକ୍ସନ୍ ସୁଟ୍ କିଣା ଯାଇଥିଲା । ଏହି ଦୁଇ ସୁଟ୍ ଏୟାର ଇଣ୍ଡିଆ ୱାନ୍ ବିମାନରେ ଲଗାଯାଉଛି । କୁହାଯାଉଛି ଯେ, ଦୁଇଟି ବିମାନ ମଧ୍ୟରୁ ଗୋଟିଏ ତିଆରି ସରିଛି । ଅନ୍ୟଟିର କାମ ଚାଲିଛି । ତିଆରି ସରିଥିବା ବିମାନର ଏବେ ଟେଷ୍ଟିଂ ଚାଲିଛି ।

https://twitter.com/TheWolfpackIN/status/1268038057258696705

ଟ୍ରମ୍ପଙ୍କ ଏୟାରଫୋର୍ସ ୱାନ୍ ଭଳି ମୋଦିଙ୍କ ସୁରକ୍ଷା

ଏହି ବିମାନର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ପିଏମ୍ ମୋଦିଙ୍କ ଏହି ଅତ୍ୟାଧୁନିକ ବୋଇଂ-୭୭୭ ବିମାନ ଏକିକୃତ ମିସାଇଲ ଡିଫେନ୍ସ ସିଷ୍ଟମ୍ ରହିଛି ।  ଏଥିରେ ଏମିତି ସେନ୍ସର ରହିଛି ଯାହା କ୍ଷେପଣାସ୍ତ୍ର ଆକ୍ରମଣର ସୂଚନା ତତ୍କାଳ ଦେଇଥାଏ । ଥରେ ଆକ୍ରମଣ ସୂଚନା ମିଳିବା ପରେ ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ୍ ସକ୍ରିୟ ହୋଇଯାଇଥାଏ । ଏଥିରେ ଆମେରିକାର ଏୟାରଫୋର୍ସ ୱାନରେ ଥିବା ଅନେକ ବିଶେଷତାକୁ ସାମିଲ କରାଯାଇଛି । ତେବେ ମଧ୍ୟ ଏୟାରଫୋର୍ସ ୱାନ୍ ,ଏୟାର ଇଣ୍ଡିଆ ୱାନଠାରୁ କିଛି ମାମଲାରେ ଆଗରେ ରହିଛି ।

ଘଣ୍ଟାକୁ ୯୦୦ କିମି ବେଗରେ ଉଡେ ବିମାନ

ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ୍ ୩୫ ହଜାର ଫୁଟ ଉଚ୍ଚତାରେ ଘଣ୍ଟା ପ୍ରତି ୧୦୧୩ କିମି ବେଗରେ ଗତି କରିଥାଏ ।  ଗୋଟିଏ ଥରରେ ଏହି ବିମାନ ୬ ହଜାର ୮୦୦ କିମି ଦୂରତା ଅତିକ୍ରମ କରିଥାଏ । ଅନ୍ୟପକ୍ଷରେ ଏୟାରଇଣ୍ଡିଆ ୱାନ୍ ଘଣ୍ଟା ପ୍ରତି ୯ଶହ କିମି ବେଗରେ ଗତି କରିଥାଏ ।

Leave a Reply