ମସଜିଦ୍ ନଖୋଲିଲେ ରାସ୍ତାରେ ନମାଜ ପଢ଼ିବାକୁ AIMIM ସାଂସଦଙ୍କ ଧମକ

1 min read

ହାଇଦ୍ରାବାଦ: ଦେଶରେ ସଂକ୍ରମଣ ମାମଲା ବଢି ଚାଲିଛି । ଏଥିପାଇଁ କେତକ ସ୍ଥାନରେ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ଲାଗି ଖୋଲିବାକୁ ଅନୁମତି ଦିଆଯାଉନାହିଁ । ମନ୍ଦିରଠୁ ନେଇ ମସଜିଦ୍ ଓ ଚର୍ଚ୍ଚ ସବୁ କିଛି ବନ୍ଦ ରହିଛି ମାର୍ଚ୍ଚ ଶେଷ ସପ୍ତାହରୁ । ଧାର୍ମିକ ସ୍ଥଳ ବନ୍ଦ ରହିବାକୁ ନେଇ ଅସଦୁଦ୍ଦିନ ଔୱେସୀଙ୍କ ଦଳ AIMIM ସାଂସଦ ଇମତିଆଜ୍ ଜଲିଲ୍ ରାସ୍ତାରେ ନମାଜ ପଢ଼ିବାକୁ ଧମକ ଦେଇଛନ୍ତି ।

ଯେତେବେଳେ ବ୍ୟବସାୟ, କାରଖାନା, ବଜାର ଓ ରାଜପଥ ସବୁକିଛି ଖୋଲିଛି । ବସ୍, ଟ୍ରେନ୍ ସହ ବିମାନ ସେବା ମଧ୍ୟ ଆରମ୍ଭ ହୋଇସାରିଛି । ତ ସରକାର କାହିଁକି ଧାର୍ମିକ ସ୍ଥଳକୁ ବନ୍ଦ ରହିଛନ୍ତି ବୋଲି ଇମତିଆଜ୍ ପ୍ରଶ୍ନ କରିଛନ୍ତି । ରାଜସ୍ୱ ପାଇଁ ମଦ ଦୋକାନ ମଧ୍ୟ ଖୋଲି ଦେଇଛନ୍ତି । ଲୋକ ବିବାହ ଉତ୍ସବରେ ସାମିଲ୍ ହୋଇପାରୁଛନ୍ତି । କାହିଁକି କେବଳ ଧର୍ମସ୍ଥଳକୁ ବନ୍ଦ ରଖାଯାଇଛି ।

ସାଂସଦ କ୍ଷୋଭ ପ୍ରକାଶ କରି କହିଛନ୍ତି- ଆମେ ଆଉ କେବେ ଯାଏଁ ଅପେକ୍ଷା କରିବୁ ? ମୁଁ ସମସ୍ତ ହିନ୍ଦୁଙ୍କୁ ଅନୁରୋଧ କରୁଛି ମନ୍ଦିର ଓ ଅନ୍ୟ ପୂଜା ସ୍ଥଳ ଖୋଲିବା ପାଇଁ ସେମାନେ ଆଗଭର ହୁଅନ୍ତୁ । ରାଜ୍ୟରେ ସେପ୍ଟେମ୍ବର ୨ ସୁଦ୍ଧା ସମସ୍ତ ମସଜିଦ୍ ଖୋଲିବା ପାଇଁ ଆହ୍ୱାନ କରୁଛୁ । ସରକାର ଅନୁମତି ଦେଲେ ତ ଭଲ କଥା ନହେଲେ ଆମେ ସଡ଼କ ଉପରେ ନମାଜ ପଢ଼ିବୁ ବୋଲି କହିଛନ୍ତି ଜଲିଲ୍ ।

AIMIM ସାସଂଦ ଜଲିଲଙ୍କ ଏମିତି ଧମକ ଉପରେ ବିଜେପି ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପୁଅ ଏନବି ସୁଭାଷ ପ୍ରତିକ୍ରିୟା ରଖିଛନ୍ତି । AIMIM ଦ୍ୱାରା ଦିଆଯାଇଥିବା ଧମକ ହାସ୍ୟାସ୍ପଦ ଅଟେ । ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଅନଲକିଂ ପ୍ରକ୍ରିୟା ଚାଲିଛି । AIMIM ନେତା ମୁସଲମାନଙ୍କୁ ଉସୁକାଇବା ଅନୁଚିତ୍ । ଏବେ ମହାରାଷ୍ଟ୍ରରେ କରୋନାର ସର୍ବାଧିକ ମାମଲା ରହିଛି । ବିଜେପି ନେତା ସାଂସଦଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି କରିଛନ୍ତି ।

Leave a Reply