ବୈଜ୍ଞାନିକଙ୍କ ନୂଆ ଫର୍ମୁଲା ଦେବ କରୋନା ଭଳି ମହାମାରୀର ଚେତାବନୀ

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଛି । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ପରବର୍ତ୍ତୀ କରୋନା ଭାଇରସ୍ ବିଷୟରେ ମଧ୍ୟ ଏକ ଚେତାବନୀ ଦିଆଯାଇଛି। ପୁଣିଥରେ କରୋନା ମହାମାରୀ ହେବାର ଆଶଙ୍କା ବି କରାଯାଉଛି। ବର୍ତ୍ତମାନ ବୈଜ୍ଞାନିକମାନେ ଏପରି ଏକ ଉପାୟ ଖୋଜି ବାହାରକରିଛନ୍ତି ଯାହା ଦ୍ୱାରା କରୋନା ଭାଇରସର ପରବର୍ତ୍ତୀ ଆକ୍ରମଣ କେଉଁଠାରେ ଏବଂ କେବେ ହେବ ତାହା ଜାଣିହେବ। ବୈଜ୍ଞାନିକମାନେ ଏଥିପାଇଁ ମୌଳିକ ଜୀବବିଜ୍ଞାନ ଏବଂ ମେସିନ୍ ଲର୍ନିଂ ବ୍ୟବହାର କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରୁ କରୋନା ଜୀବାଣୁ ସଂକ୍ରମଣ କେବେ ଘଟିବ ଓ କେଉଁଠାରୁ ଏହାର ଉତ୍ପନ୍ନ ହୋଇପାରେ ତାହା ଜାଣିହେବ।

ବ୍ରିଟେନର ଲିଭରପୁଲ୍ ବିଶ୍ୱବିଦ୍ୟାଳୟର ଭାଇରୋଲୋଜିଷ୍ଟ୍ ଡକ୍ଟର ମାର୍କସ୍ ବ୍ଲାଗ୍ରୋଭ୍ ଓ ତାଙ୍କ ଟିମ୍ ବିଶ୍ୱର ବିଭିନ୍ନ ସ୍ଥାନରୁ ସଂଗୃହିତ ଜୈବିକ ପ୍ରମାଣ ସାହାଯ୍ୟରେ କମ୍ପ୍ୟୁଟର ଆଲଗୋରିଦମ ସୃଷ୍ଟି କରାଛନ୍ତି। ଏହା ମାଧ୍ୟମରେ, ପରବର୍ତ୍ତୀ କରୋନାଭାଇରସ୍ ଆକ୍ରମଣ କେଉଁଠାରେ ଏବଂ କେବେ ଘଟିବ ତାହା ଜଣା ପଡ଼ିବ। ଏହାବ୍ୟତୀତ ଏହି ଟେକ୍ନୋଲୋଜି ଦ୍ୱାରା ଏହା ମଧ୍ୟ ଜଣା ପଡିବ ଯେ କେଉଁ ଜୀବରୁ ପରବର୍ତ୍ତୀ କରୋନାଭାଇରସ୍ ଜନ୍ମ ନେବ ବା ତାଙ୍କ ଭିତରେ ବିକଶିତ ହେବ। ଏହି ଡାକ୍ତରୀ ଟିମ୍ କମ୍ପ୍ୟୁଟର ଆଲଗୋରିଦିମରୁ ସ୍ତନ୍ୟପାୟୀ ପ୍ରାଣୀଙ୍କୁ କରୋନା ସଂକ୍ରମଣ କିଭଳି ହେଉଛି ସେ ସମ୍ବନ୍ଧରେ ଅନୁସନ୍ଧାନ କରିଛନ୍ତି। ତେବେ ଏଥିରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ ୪୧୧ କରୋନା ଷ୍ଟେନ୍ସ ରହିଛି। ଯାହାଙ୍କ ସମ୍ପର୍କ ୮୭୬ ସ୍ତନ୍ୟପାୟୀ ପ୍ରାଣୀଙ୍କ ସହ ରହିଛି କିମ୍ବା ଭବିଷ୍ୟତରେ ରହିପାରେ। ଏଭଳି ବହୁତ ପ୍ରାଣୀ ଅଛନ୍ତି ଯେଉଁମାନଙ୍କ ଶରୀରେ ଏକାଧିକ ଭାଇରସ୍ ରହିଛି ।

ଏହି ଡାକ୍ତରୀ ଟିମର ସଦସ୍ୟ ଡକ୍ଟର ମାୟା ଏବଂ ଡକ୍ଟର ମାର୍କସ କହିଛନ୍ତି ଯେ ଆମର AI (Artificial Intelligence) ସହିତ ଆମେ କରୋନାଭାଇରସର ପରବର୍ତ୍ତୀ ଆକ୍ରମଣର ପୂର୍ବାନୁମାନ କରିପାରିବା। କୌଣସି ବି ପ୍ରଜାତି ଭବିଷ୍ୟତରେ ମଣିଷର ଶତ୍ରୁ ହୋଇପାରେ ବୋଲି ଆମେ   ଆଶଙ୍କା କରୁନାହୁଁ। କିନ୍ତୁ ଏହି ପ୍ରଜାତିଗୁଡ଼ିକଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । ଆଗାମୀ ଦିନରେ ଏହି ପ୍ରଜାତିଗୁଡ଼ିକ କରୋନା ବିସ୍ତାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି।

ସେ ଆହୁରି କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଆମେ ଏହା ଜାଣିପାରିବୁ ଯେ କେଉଁଠି ନୂଆ କରୋନା ଭାଇରସ ବିକଶିତ ହେଉଛି। ଯାହାଫଳରେ ଆମେ ତାଙ୍କଠୁ ମଣିଷଙ୍କୁ ସଂକ୍ରମିତହେବା ପୂର୍ବରୁ ଧରିନେବୁ । ଏବଂ  ସଂକ୍ରମଣକୁ ରୋକିବାକୁ କ’ଣ କରାଯାଇପାରିବ ତାହା ମଧ୍ୟ ସାରା ଦୁନିଆକୁ ଅବଗତ କରାଇପାରିବୁ।’

 

 

Leave a Reply