ଜିଲ୍ଲା ବୁଲି ଚାଷୀଙ୍କ ସ୍ଥିତି ପରଖିଲେ ମନ୍ତ୍ରୀ ଅରୁଣ ସାହୁ

1 min read
Agriculture minister's visit to 4 district for review meetings.

ଭୁବନେଶ୍ୱର: କରୋନା ମହାମାରୀ ସ୍ଥିତିରେ ସାରା ଦେଶରେ କୃଷି ଓ କୃଷକ ବ୍ୟାପକ ଭାବେ ପ୍ରଭାବିତ । ରାଜ୍ୟରେ ମଧ୍ୟ ସମାନ ସ୍ଥିତି । ରାଜ୍ୟ ଚାଷୀମାନଙ୍କ ସମସ୍ୟା ବୁଝିବା ସହ ଚାଷକୁ ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଶ୍ରୀ ସାହୁ ଗୁରୁବାର ଦିନିକିଆ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଗସ୍ତ କରିଛନ୍ତି । ମାଲକାନଗିରି ଓ ଏବଂ ନବରଙ୍ଗପୁରରେ ଜିଲ୍ଲାରେ ପହଞ୍ଚି ଖରିଫ୍‌ ଚାଷ ସମ୍ପର୍କରେ ସମୀକ୍ଷା କରିଥିବା ବେଳେ କୋରାପୁଟଠାରେ, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ମିଳିତ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ବୈଠକରେ ଖରିଫ ଚାଷ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା ହୋଇଥିଲା ।

କୋଭିଡ-୧୯ ପରିସ୍ଥିତିରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହିତ ରୋଜଗାର ଯୋଗାଇ ଦେବାରେ ପ୍ରମୁଖ ଆହ୍ୱାନ ହେବ ବୋଲି ଶ୍ରୀ ସାହୁ କହିଛନ୍ତି । ଖରିଫ୍‌ ଚାଷ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଉନ୍ନତମାନର ବିହନ, ସାର ଏବଂ କୀଟନାଶକ ମହଜୁଦକୁ ସୁନିଶ୍ଚିତ କରିବା, ସ୍ଥାନୀୟ ଜଳବାୟୁ, ମୃତ୍ତିକା ଓ ଜଳସେଚନର ସୁବିଧାକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟରେ ବିବିଧକରଣ କରିବା ପାଇଁ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତାକୁ ମନ୍ତ୍ରୀ ଅରୁଣ ସାହୁ ପ୍ରୋତ୍ସାହିତ କରିଛନ୍ତି । ସେହିଭଳି ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ହ୍ୱାଟ୍ସ ଆପ୍ ଜରିଆରେ ସୂଚନା ପହଞ୍ଚାଇବା ସପକ୍ଷରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କର୍ମବର୍ଦ୍ଧିଷ୍ଣୁ ପ୍ରଯୁକ୍ତିବିଦ୍ୟା ସହ ତାଳ ଦେଇ ଚାଷୀ ବଦଳନ୍ତୁ ବୋଲି ମନ୍ତ୍ରୀ ଯୁକ୍ତି ବାଢିଥିଲେ । ଏହାସହ ମକା, ଫଳ ଓ ପନିପରିବା ଚାଷ ଉପରେ ମଧ୍ୟ ଆଲୋଚନା ହୋଇଛି । ବୈଠକଗୁଡ଼ିକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ୍‌. ମୁଥୁକୁମାରଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ କୋରାପୁଟଠାରେ ଆୟୋଜିତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply